ସୋସିଆଲ ମିଡିଆକୁ ଅଲବିଦା କହିବେ ମୋଦି, ଟ୍ୱିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ, ୟୁଜର କହିଲେ…
2/03/2020 at 9:11 PM

ନୂଆଦିଲ୍ଲୀ, ୦୨ ମାର୍ଚ୍ଚ: ସୋସିଆଲ ମିଡିଆରୁ ଦୂରେଇଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ସହ ୟୁଟ୍ୟୁବ ଆକାଉଣ୍ଟରୁ ମଧ୍ୟ ସେ ବିରତି ନେବେ। ଏନେଇ ସେ ନିଜ ଟ୍ୱିଟର ପେଜରେ ଆଜି ଉଲ୍ଲେଖ କରିଛନ୍ତି।

ମୋଦି ଟ୍ୱିଟରରେ ଲେଖିଛନ୍ତି ଯେ, ସେ ସୋସିଆଲ ମିଡିଆରୁ ବିରତି ନେବାକୁ ଚାହୁଁଛନ୍ତି। ଫେସବୁକ ସମେତ ଟ୍ୱିଟର, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଆଦିରୁ ସେ ଦୂରେଉବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ଆସନ୍ତା ରବିବାର ପରଠୁ ସାମାଜିକ ଗଣମାଧ୍ୟମରେ ସେ ଜନତାଙ୍କ ସହ ଜଡିତ ରହିବେ ନାହିଁ ବୋଲି କହିଛନ୍ତି।
୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ପ୍ରଥମେ ସୋସିଆଲ ମିଡିଆରେ ଜନତାଙ୍କ ସହ ଯୋଡିହେବାକୁ ଆଗେଇ ଆସିଥିଲେ। ସେ ସମସ୍ତ ମନ୍ତ୍ରୀ ଓ ଅଧିକାରୀଙ୍କୁ ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆଜି ସେ କଣ ପାଇଁ ଏଥିରୁ ବିରତି ନେବାକୁ ଚାହାଁନ୍ତି ସେନେଇ କିଛି ଉଲ୍ଲେଖ କରି ନାହାଁନ୍ତି।
ତେବେ ମୋଦି ଟ୍ୱିଟ କରିବା ପରେ ଅନେକ ୟୁଜର ତାଙ୍କୁ ସୋସିଆଲ ମିଡିଆରୁ ନଦୂରେଇଯିବାକୁ କହିଛନ୍ତି। ଆଉ କେହି ଏହା ସୋସିଆଲ ମିଡିଆରେ ସର୍ଜିକାଲ ଷ୍ଟ୍ରାଇକ ବୋଲି ମଧ୍ୟ କହିଛନ୍ତି।