ମୋଦୀଙ୍କ 3.0 ଶପଥ ଗ୍ରହଣ ଉତ୍ସବ, ସଫେଇ କର୍ମଚାରୀଙ୍କ ଠାରୁ ଶ୍ରମିକ ଓ ଟ୍ରାନ୍ସଜେଣ୍ଡର ଯାଏଁ ଏମାନେ ହେବେ ସାମିଲ...

Published By : Prameya-News7 Bureau | June 08, 2024 IST

ନୂଆଦିଲ୍ଲୀ ୦୮।୦୬: ମୋଦୀ ସରକାର ୩.୦ ଶପଥ ନେବାକୁ ପ୍ରସ୍ତୁତ । ଜୁନ୍‌ ୯ରେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ । ଯେମିତି ହିଁ ନରେନ୍ଦ୍ର ମୋଦୀ ଶପଥ ନେବେ, ସେ ଏକ ନୂଆ ରେକର୍ଡ କରିବେ । ଏହା ପୂର୍ବରୁ କେବ ପଣ୍ଡିତ ଜବାହରଲାଲ୍‌ ନେହେରୁ ୩ଥର  ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । 

ଜୋରସୋରରେ ଚାଲିଛି ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି । ମୋଦୀ ୩.୦ର ଶପଥ ଗ୍ରହଣ ବହୁ କ୍ଷେତ୍ରରେ ହେବ ଖାସ୍‌ । କେବଳ ପଡୋଶୀ ଦେଶରୁ ଆସିଥିବା ରାଜ୍ୟ ମୁଖ୍ୟମାନେ ଏଥିରେ ଅଂଶଗ୍ରହଣ କରିବେ ତା ନୁହେଁ କିଛି ଏପରି ଅତିଥି ମଧ୍ୟ ଦେଖିବାକୁ ମିଳିବେ ଯିଏକି ଉତ୍ସବର ଶୋଭା ବଢାଇବେ । 

ଶପଥ ଗ୍ରହଣ ଉତ୍ସବରେ ୮ ହଜାରରୁ ଅଧିକ ଲୋକ ଉପସ୍ଥିତ ରହିବେ । ଶପଥ ଗ୍ରହଣ ଉତ୍ସବରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ ସାମିଲ ଥିବା ଅନେକ ସଫେଇ କର୍ମଚାରୀ, କିନ୍ନର ଓ ଶ୍ରମିକ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ। ସମାରୋହରେ ବନ୍ଦେ ଭାରତ ଓ ମେଟ୍ରୋରେ କାର୍ଯ୍ୟରତ ରେଳ କର୍ମଚାରୀ ଓ ବିକଶିତ ଭାରତ ରାଷ୍ଟ୍ରଦୂତମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। 

ବାସ୍ତବରେ, ମୋଦୀ ପ୍ରାୟତଃ କିଛି ଭିନ୍ନ କରିବା ପାଇଁ ଜଣାଶୁଣା । ଏଥର ମଧ୍ୟ ସେ ସମାନ କାମ କରିବାକୁ ଯାଉଛନ୍ତି । ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଶତାଧିକ ଅତିଥି ଯୋଗଦେବେ। ଶାସକ ଦଳର ନେତା ତଥା ବିରୋଧୀଙ୍କ ବ୍ୟତୀତ ଫିଲ୍ମ ଇଣ୍ଡଷ୍ଟ୍ରି, କ୍ରୀଡା ଜଗତ, ଶିଳ୍ପପତି ଏବଂ ବ୍ୟବସାୟୀ ବହୁ ସଂଖ୍ୟାରେ ଉପସ୍ଥିତ ରହିବେ । କିନ୍ତୁ ଏହି ସମାରୋହରେ କିଛି ଖାସ୍‌ ଅତିଥି ଯୋଗ ଦେବେ । ଯାହାଙ୍କ ଲିଷ୍ଟ ନିଜେ ନରେନ୍ଦ୍ର ମୋଦୀ ତିଆରି କରିଛନ୍ତି । 

ବାସ୍ତବରେ ଶପଥ ଗ୍ରହଣ ସମାରୋହ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ହିତାଧିକାରୀଙ୍କୁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି । ସମାରୋହରେ କିଛି ଟ୍ରାନ୍ସଜେଣ୍ଡରଙ୍କୁ ନିମନ୍ତ୍ରଣ କରାଯାଇଛି । ଏହାବ୍ୟତୀତ ସେଣ୍ଟ୍ରାଲ୍‌ ଭିସ୍ତା ପ୍ରୋଜେକ୍ଟରେ କାମ କରୁଥିବା ଶ୍ରମିକମାନଙ୍କୁ ପଠାଯାଇଛି ନିମନ୍ତ୍ରଣ । ଏମାନେ ହେଉଛନ୍ତି ସେହି ଶ୍ରମିକ, ଯେଉଁମାନେ ନୂଆ ସଂସଦର ନିର୍ମାଣ କାର୍ଯ୍ୟରେ ସାମିଲ ଥିଲେ । 

କେବଳ ଏତିକି ନୁହେଁ ସଫେଇ କର୍ମଚାରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ସେହିପରି ବନ୍ଦେ ଭାରତ ଟ୍ରେନ୍ ଏବଂ ମେଟ୍ରୋ ପ୍ରକଳ୍ପ ସହିତ ଜଡିତ ରେଳ କର୍ମଚାରୀଙ୍କୁ ପଠାଯାଇଛି ନିମନ୍ତ୍ରଣ । ମୋଦୀ ସବୁବେଳେ ୨୦୪୭ ସୁଦ୍ଧା ବିକଶିତ ଭାରତ ସୃଷ୍ଟିକୁ ନେଇ ଗୁରୁତ୍ୱରୋପ କରିଥାନ୍ତି । ଏହାକୁ ଦର୍ଶାଇବାକୁ ବିକଶିତ ଭାରତର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କୁ ଏହି ଉତ୍ସବରେ କରାଯାଇଛି ନିମନ୍ତ୍ରଣ । 

ଏମାନଙ୍କ ବ୍ୟତୀତ ଦକ୍ଷିଣ ଏସିଆ ଦେଶର ନେତାଙ୍କ ସମେତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନୀଲ ବିକ୍ରମସିଂଘେ ସାମିଲ ହୋଇପାରନ୍ତି। ସେହିପରି ନେପାଳ, ଭୁଟାନ୍, ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ବି ନିମନ୍ତ୍ରଣପତ୍ର ପଠାଯାଇଥିବା ସୂଚନା ମିଳିଛି। ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.