'ମାଟି ସହ ଯୋଡି ହୋଇ ରହିଲେ ହିଁ ବହୁ ଉଚ୍ଚରେ ଉଡିହେବ'- ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ, ୧୫|୦୮: ଦେଶ ପାଳନ କରୁଛି ଆଜାଦୀ କି ଆମୃତୋତ୍ସବ । ସାରା ଦେଶରେ ଖୁସିର ମାହୋଲ । ଭାରତ ସ୍ୱାଧିନତାର ୭୫ ବର୍ଷ ପୂରଣ କରି ୭୬ ବର୍ଷରେ ପାଦ ଦେଇଛି । ଏହି ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହାସହ ସ୍ୱାଧିନତା ପାଇଁ ଲଢେଇ କରିଥିବା ଓ ପ୍ରାଣବଳି ଦେଇଥିବା ବୀର ପୁତ୍ରମାନଙ୍କୁ ସ୍ମରଣ ମଧ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭାରତ ପାଇଁ ଐତିହାସିକ ଦିନ । ନୂଆ ରାସ୍ତା, ନୂଆ ସଂକଳ୍ପ, ନୂଆ ସାମର୍ଥ୍ୟ ସହ ଆଗକୁ ବଢିବାର ନୂଆ ଅବସର ମିଳିଛି । ଭାରତର ସବୁ କୋଣ ଅନୁକୋଣରେ ସ୍ୱାଧିନତା ଆନ୍ଦୋଳନର ବହ୍ନି ଜଳିଥିଲା । ବୀର ସୁପୁତ୍ର ବଳିଦାନ ଦେଇଥିଲେ । ଇଂରେଜଙ୍କ ମୂଳଦୁଆ ଦୋହଲାଇ ଦେଇଥିଲେ । ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ସଂକଳ୍ପ ନେବା ଆବଶ୍ୟକ ।

ସେ ଆହୁରି କହିଥିଲେ ଯେ, ସ୍ୱାଧିନ ଭାରତରେ ଜନ୍ମ ହୋଇଥିବା ସେ ପ୍ରଥମ ବ୍ୟକ୍ତି ଯିଏ ପ୍ରଭାନମନ୍ତ୍ରୀ ହୋଇଛନ୍ତି । ଏବେ ସାରା ବିଶ୍ୱ ଭାରତର ଗର୍ବ ଦେଖୁଛି । ଅନେକ ବଡ ବଡ ସମସ୍ୟାର ସମାଧାନ ଭାରତ ଖୋଜି ବାହାର କରିଛି ।ଭାରତ ଆଜି ସ୍ୱାଧିନତାର ଅମୃତୋତ୍ସବ ପାଳନ କରୁଛି । ୧୦୦ ବର୍ଷ ପୂରଣ ପୂର୍ବରୁ ଯୁବକମାନେ ଆଜିଠୁ ସଂକଳ୍ପ ନେବା ଦରକାର । ଏବେ ଦେଶ ବଡ ସଂକଳ୍ପ ନେଇ ଆଗକୁ ବଢିବ । ଗୋଲାମିର ସବୁ ଅଂଶଠୁ ମୁକ୍ତି ମିଳିବ । ଆମକୁ ଆମର ଐତିହ୍ୟ ଓ ସଂସ୍କୃତି ଉପରେ ଗର୍ବ କରିବାକୁ ହେବ । ୧୩୦ କୋଟି ଦେଶବାସୀ କେହି କାହାର ପର ନୁହେଁ । ସମସ୍ତେ ପରସ୍ପରର ନିଜର ଅଟନ୍ତି । ନାଗରିକମାନେ ନିଜ କର୍ତ୍ତବ୍ୟ ପାଳନ ପାଇଁ ପ୍ରତିଜ୍ଞା କରିବା ଉଚିତ ।

ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ସମସ୍ତେ ମାଟି ସହ ଜଡିତ ରହିବେ ସେତେବେଳେ ହିଁ ଆକାଶରେ ଉଡିପାରିବେ । ବିଶ୍ୱକୁ ସମାଧାନ ଦେଇପାରିବେ । ଏହାସହ ନିଜର ଏକ ଦୁଃଖ ମଧ୍ୟ ଦେଶବାସୀଙ୍କୁ କହିଛନ୍ତି ମୋଦୀ । ସେ କହିଛନ୍ତି ଯେ, ଦେଶରେ କୌଣସି କାରଣରୁ ଅସହିଷ୍ଣୁତା ମୁଣ୍ଡ ଟେକିଛି । ବୟାନବାଜି ଓ ସ୍ୱଭାବରେ ନାରୀଙ୍କୁ ଅପମାନ କରାଯାଉଛି । ଆମକୁ ଏହାକୁ ବନ୍ଦ କରିବା ପାଇଁ ସଂକଳ୍ପ ନେବାକୁ ହେବ ।ନାରୀ ଏକ ବୈଭବଶାଳୀ ରାଷ୍ଟ୍ରଗଠନର ମୂଳ ପୁଞ୍ଜି ହେବାକୁ ଯାଉଛନ୍ତି । ଏହା ସେମାନଙ୍କ ସାମର୍ଥ୍ୟରୁ ଜାଣିହେଉଛି । ଦେଶର ବିକାଶରେ ନାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.