‘ୟୁ ଗଭ’ ଟପ ୨୦ ସୂଚୀରେ ମୋଦି ବିଶ୍ୱର ଷଷ୍ଠ ଓ ଭାରତର ପ୍ରଥମ ପସନ୍ଦ ପୁଋଷ, ଅମିତାଭ ଦ୍ୱିତୀୟ
19/07/2019 at 4:24 PM

ଲଣ୍ଡନ : ଇଣ୍ଟରନେଟ୍ ମାର୍କେଟ ରିସର୍ଚ୍ଚ ତଥା ଡାଟା ଏନାଲିଟିକ୍ସ ଫାର୍ମ ‘ୟୁ ଗଭ’ ଚଳିତ ବର୍ଷର ଶୀର୍ଷ ୨୦ ଜଣ ପସନ୍ଦର ପୁରୁଷ ଓ ମହିଳାଙ୍କ ସୂଚୀ ଜାରି କରିଛନ୍ତି। ଏଥିରେ ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟସ୍ ଚଳିତ ବର୍ଷ ମଧ୍ୟ ବିଶ୍ୱର ନମ୍ବର ୧ ସ୍ଥାନରେ ଥିବା ବେଳେ ପୂର୍ବତନ ଆମେରିକୀୟ ଫାଷ୍ଟ ଲେଡି ମିସେଲ ଓବାମା ମହିଳାଙ୍କ ସୂଚୀର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପୂର୍ବ ବର୍ଷ ହଲିଉଡ୍ ନାୟିକା ଏଞ୍ଜେଲିନା ଜୋଲି ଏହି ସ୍ଥାନରେ ଥିଲେ।

‘ୟୁ ଗଭ’ ପକ୍ଷରୁ କରାଯାଇଥିବା ଏହି ସର୍ଭେକ୍ଷଣରେ ବିଶ୍ୱର ୪୧ଟି ଦେଶର ଅନୁନ୍ୟ ୪୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଅନଲାଇନ ଇଣ୍ଟରଭ୍ୟୁରେ ଅଂଶଗ୍ରହଣ କରିଥିଲେ। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ପାଦ ଉପରକୁ ଉଠି ବିଶ୍ୱର ଷଷ୍ଠ ପସନ୍ଦର ପୁରୁଷ ସ୍ଥାନରେ ରହିଥିବା ବେଳେ ଭାରତୀୟଙ୍କ ଲାଗି ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ସୂଚୀ ଅନୁସାରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜ୍ୟାକି ଚାନ୍ ତୃତୀୟ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚତୁର୍ଥ ଓ ଜ୍ୟେକ ମା ପଞ୍ଚମ ସ୍ଥାନରେ ରହିଛନ୍ତି।

ଦଲାଇଲାମା ସୂଚୀର ଅଷ୍ଟମ ସ୍ଥାନକୁ ଖସିଥିବା ବେଳେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୧୦ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଛତୁର୍ଦଶ ସ୍ଥାନରେ ରହିଛନ୍ତି।ବିଶ୍ୱର ପସନ୍ଦର ପୁରୁଷଙ୍କ ସୂଚୀର ଦ୍ୱାଦଶ ସ୍ଥାନରେ ରହିଛି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ନାମ।ସେହିପରି ମହିଳାଙ୍କ ସୂଚୀର ପ୍ରଥମ ସ୍ଥାନରେ ମିସେଲ ଥିବା ବେଳେ ଇଂଲଣ୍ଡ ରାଣୀ କ୍ୱିନ୍ ଏଲିଜାବେଥ -୨ ସୂଚୀର ଚତୁର୍ଥ ସ୍ଥାନରେ ରହିଛନ୍ତି। ପାକ୍ ସ୍ୱେଚ୍ଛା ସେବୀ ମଲାଲା ୟୁସୁଫଜାୟୀ ଷଷ୍ଠସ୍ଥାନରେ ଥିବା ବେଳେ ତ୍ରୟୋଦଶ ସ୍ଥାନରେ ବଲିଉଡ ନାୟିକା ଦୀପିକା ପାଦ୍ୟୁକୋନ ଓ ଚତୁର୍ଦ୍ଦଶ ସ୍ଥାନରେ ଅଛନ୍ତି ପ୍ରୀୟଙ୍କା ଚୋପ୍ରା।

ଏହି ଟପ୍-୨୦ ସୂଚୀରେ ଦୀପିକାଙ୍କ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତବର୍ଷ ମଧ୍ୟ ଦୀପିକା ସୂଚୀର ତ୍ରୟୋଦଶ ସ୍ଥାନରେ ଥିଲେ। ତେବେ ପ୍ରୀୟଙ୍କା ଚୋପ୍ରା ଲୋକପ୍ରୀୟତାରେ ୨ ପାଦ ତଳକୁ ଖସି ଦୀପିକାଙ୍କ ପଛକୁ ଯାଇଥିବା ବେଳେ ଐଶ୍ୱର୍ଯ୍ୟା ମଧ୍ୟ ୫ ପାଦ ତଳକୁ ଖସିଛନ୍ତି। ତେବେ ପ୍ରଥମ ଥର ସୁସ୍ମିତା ସେନ୍ ରାଙ୍କିଙ୍ଗକୁ ଆସିଛନ୍ତି।