ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ପୂଜା ରଣନୀତି: ଦଶହରା ପୂଜାରେ ସାମିଲ୍‌ ହେବେ ନରେନ୍ଦ୍ର ମୋଦି, ଅମିତ ଶାହା

Published By : Prameya-News7 Bureau | October 10, 2020 IST

କୋଲକାତା ୧୦/୧୦: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବର୍ଷ ଦୁର୍ଗାପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗବାସୀଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଖୁସିରେ ସାମିଲ୍‌ ହେବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ପ୍ରଥମ ଥର ଭର୍ଚୁଆଲ୍ ମାଧ୍ୟମରେ ପଶ୍ଚିମବଙ୍ଗବାସୀଙ୍କୁ ସମ୍ବୋଧନ କରିବେ। ୨୨ ଅକ୍ଟୋବର ମହାଷଷ୍ଠି ଦିନ ଭର୍ଚୁଆଲ୍‌ ମାଧ୍ୟମରେ ଲୋକଙ୍କ ସହ ମୋଦି ଯୋଡ଼ିହେବେ ବୋଲି କହିଛନ୍ତି ବିଜେପିର ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ପ୍ରଭାରୀ କୈଳାଶ ବିଜୟବର୍ଗିୟ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ପୂଜା ପୂର୍ବରୁ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାକାର ବଡ଼ ପଦାଧିକାରୀଙ୍କ ସହ ବୈଠକ କରିବେ ଶାହ। ସେ ଚଳିତ ମାସ ମଧ୍ୟଭାଗରେ କୋଲକାତା ଗସ୍ତ କରିପାରନ୍ତି। ୧୨ କିମ୍ବା ୧୬ ଅକ୍ଟୋବରରେ ଶାହାଙ୍କ କୋଲକାତା ଗସ୍ତ କାର୍ଯ୍ୟକ୍ରମ ହେବା ନେଇ କୈଳାଶ ବିଜୟବର୍ଗିୟ କହିଛନ୍ତି।

ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ୍‌ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୧୭ କିମ୍ବା ୧୮ ଅକ୍ଟୋବରରେ ଉତ୍ତର ପଶ୍ଚିମବଙ୍ଗ ଗସ୍ତ କରି ସେଠାକାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ। ଶାହା ପୂର୍ବବର୍ଷ ଦୁର୍ଗାପୂଜାରେ ପଶ୍ଚିମବଙ୍ଗରେ ଥିଲେ। ପୂଜାରେ ସାମିଲ ମଧ୍ୟ ହୋଇଥିଲେ। ତେବେ ଚଳିତ ବର୍ଷ ପୂଜାରେ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ମହତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.