ଉଦ୍ଧବ ଠାକରେ ଓ ନାରାୟଣ ରାଣେ, ଜଣେ ‘ଘର କୋମ୍ବଡା’ ତ ଆଉ ଜଣେ ’କୋମ୍ବଡି ଚୋର’, ରାଜନୈତିକ ସମ୍ପର୍କରୁ ଶତ୍ରୁତା ପର୍ଯ୍ୟନ୍ତ ଦୀର୍ଘ ଇତିହାସ

Published By : Prameya-News7 Bureau | August 25, 2021 IST

ମୁମ୍ବାଇ ୨୫।୮: ‘ଥାପଡ ଉଦ୍ଧବ’ ଲାଗି କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ନାରାୟଣ ରାଣେ ମଙ୍ଗଳବାର ପୋଲିସ ଦ୍ୱାରା ଗିରଫ ହେବା ପରେ ଜାମିନରେ ମୁକ୍ତ ହୋଇଛନ୍ତି। ତେବେ ମଙ୍ଗଳବାର ଦିନ ତମାମ ଲାଗି ରହିଥିବା ହାଇଡ୍ରାମାରେ ବିଜେପି ନିଜ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ ତ କରୁଥିଲା ହେଲେ ଠାକରେଙ୍କ ସମ୍ପର୍କରେ ରାଣେଙ୍କ ବୟାନରୁ ନିଜକୁ ସୁରକ୍ଷିତ ଦୂରରେ ରଖିଥିବା ଦେଖାଯାଇଛି।

ସୋମବାର ରାୟଗଡ଼ ଜିଲ୍ଲାରେ ବିଜେପିର ‘ଜନ ଆଶିର୍ବାଦ’ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦଳୀୟ କାର୍ଯ୍ୟସୂଚୀ ଅନୁସାରେ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଣେ ସ୍ୱାଧୀନତା ଦିବସ ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ପ୍ରସଙ୍ଗ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଦେଶ କେତେବର୍ଷ ହେଲା ସ୍ୱାଧୀନ ହୋଇଛି କହିପାରିନଥିଲେ ବୋଲି ରାଣେ କହିଥିଲେ। ଯାହାକୁ ସେ ଦୁର୍ଭାଗ୍ୟଜନକ ଓ  ଯଦି ମୁଁ ସେଠାରେ ଥାନ୍ତି କଷିକି ଚାପୁଡେ ପକାଇଥାନ୍ତି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡା ପ୍ରସଙ୍ଗ ରାଜ୍ୟରେ ବିଜେପିର ଜନ ଆଶିର୍ବାଦ ଯାତ୍ରାରେ ଅଜବ ପରିସ୍ଥିତି ସୃଷ୍ଟି କରିଛି। ବୟାନ ନେଇ ଲୋକେ ପୋଲିସରେ ଏତଲା ଦେଇଥିବା ବେଳେ ନାସିକ ପୋଲିସ ରାଣେଙ୍କୁ ରତ୍ନଗିରି ଜିଲ୍ଲା ସଙ୍ଗମେଶ୍ୱର ଥାନା ଅଞ୍ଚଳରୁ ଗିରଫ କରିଥିଲା। ତେବେ ଏଥିଲାଗି ଦିନ ତମାମ ଲାଗି ରହିଥିବା ରାଜନୈତିକ ହଟଚମଟ ଘଟଣାକୁ ଶିବସେନା ବନାମ ବିଜେପି ବଦଳେ ରାଣେ ବନାମ ଉଦ୍ଧବରେ ପରିଣତ କରିଥିଲା।  ଏଥିରେ ଶିବସେନା ଉପରେ ଦାଉ ସାଧିବାକୁ ଏପର୍ଯ୍ୟନ୍ତ ରାଣେଙ୍କୁ ଅସ୍ତ୍ର କରିଆସୁଥିବା ବିଜେପି ନିଜେ ନିଜକୁ ଅସହଜ ପରିସ୍ଥିତିରେ ଦେଖିଥିଲା। ଏଣୁ ନିଜ ମନ୍ତ୍ରୀଙ୍କୁ ଦଳ ସମର୍ଥନ କରୁଥିଲେ ହେଁ  ଠାକରେଙ୍କ ସମ୍ପର୍କରେ ମନ୍ତବ୍ୟରୁ ନିଜକୁ ଦୂରେଇ ରଖୁଥିବାର ଦେଖାଯାଇଥିବା ରାଜନୈତିକ ବିଶ୍ଲେଷକ ହେମନ୍ତ ଦେଶାଇ କହିଛନ୍ତି।

{"id":501226,"sizeSlug":"full","linkDestination":"none"}

ମଙ୍ଗଳବାର ଶିବ ସେନା କର୍ମୀମାନେ ରାଣେଙ୍କ ଘର ଆଗରେ ‘କୋମ୍ବଡି ଚୋର’ ହୋର୍ଡିଂ ଲଗାଇଥିବାର ମଧ୍ୟ ଦେଖା ଯାଇଥିଲା। ଶିବସେନାରେ ଏହାର ଏକ କାହାଣୀ ବି ଅଛି। ବାଲାସାହେବଙ୍କ ଶିବସେନା ଯେତେବେଳେ ରାଜ୍ୟରେ ଏତେ ଲୋକପ୍ରିୟତା ହାସଲ କରିନଥିଲା ସେତେବେଳେ କଥା କଥାକେ କର୍ମୀଙ୍କୁ ନେଇ ମହାରାଷ୍ଟ୍ରରେ ରାସ୍ତାକୁ ଓହ୍ଲାଇ ଆସୁଥିଲା। ଶିବସେନା ସମର୍ଥକମାନେ ଜିଅନ୍ତା କୁକୁଡାଙ୍କ ସହ ରାସ୍ତାକୁ  ଓହ୍ଲାଇ ଶସ୍ତା ପ୍ରଦର୍ଶନ କରୁଥିଲେ। ଏଥିଲାଗି ଆବଶ୍ୟକ ହେଉଥିବା କୁକୁଡା ନାରାୟଣ ରାଣେ ଯୋଗାଡ କରୁଥିଲେ। ଏଣୁ ବାଲା ସାହେବ ରାଣେଙ୍କୁ କାମ୍ବଡି ଚୋର ବୋଲି ପରିହାସ କରୁଥିଲେ।

ବାଲା ସାହେବଙ୍କ ବିପରୀତ ତାଙ୍କ ପୁଅ ଉଦ୍ଧବ ସ୍ୱଭାବରେ ବିନମ୍ର ଓ ଲାଜକୂଳା ଥିଲେ । ସାମ୍ମୁଖରେ ନେତୃତ୍ୱ ନେବା ବଦଳରେ ଦଳର ବ୍ୟାକ୍‌ ରୁମ ପ୍ରବନ୍ଧନ ଲାଗି ତାଙ୍କୁ ଘର କୋମ୍ବଡା ବା  ଘର କୁକୁଡା ବୋଲି ଡକା ଯାଉଥିଲା। ତେବେ ବାଲାସାହେବ ଓ ରାଣେଙ୍କ ସମ୍ପର୍କ ପ୍ରଥମରୁ ହିଁ ଖଟା। ହେଲେ ଦଳୀଶୃଙ୍ଖଳାରେ ଉଭୟ ବନ୍ଧା ଥିଲେ। ତେବେ ଶିବସେନା ପ୍ରତି ରାଣେଙ୍କ ସେତେବେଳେ ମହଭଙ୍ଗ ହୋଇଥିଲା ଯେତେବେଳେ ଦଳରେ ଉଦ୍ଧବଙ୍କ ବର୍ଚସ୍ୱ ବଢିବାରେ ଲାଗିଲା। ଏଣୁ ଉଦ୍ଧବଙ୍କ ବିରୋଧରେ ନଯାଇ ସେ ଶିବସେନା ଛାଡିବାକୁ ୨୦୦୫ ମସିହା ନିଷ୍ପତ୍ତି ନେଇଥିଲେ ଓ ରାଣେ ଏବଂ ତାଙ୍କ ପୁଅମାନେ ଉଦ୍ଧବ ଓ ପରିବାର ଲୋକଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ କରିଆସୁଛନ୍ତି।

ଏକଦା ମୁମ୍ବାଇ ଚେମ୍ବୁରରେ ‘ହରିୟା ନରିଆ ଗ୍ୟାଙ୍ଗ’ର ସଦସ୍ୟ ନାରାୟଣ ରାଣେ ବାଲ ସାହେବଙ୍କ ଆଶିର୍ବାଦରେ ମୁମ୍ବାଇ ନଗର ନିଗମର କର୍ପୋରେଟରରୁ ବିଧାୟକ, ମନ୍ତ୍ରୀ ଓ କିଛି ସମୟ ଲାଗି ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିଥିଲେ। ତେବେ କଂଗ୍ରେସରେ ଯୋଗ ଦେଇ ରାଜ୍ୟର ନେତୃତ୍ୱ ନେବାକୁ ତାଙ୍କର ସ୍ୱପ୍ନ ସାକାର ନ ହେବାରୁ ସେ ନିଜର ଏକ ଦଳ 'ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ' ଗଢିବାକୁ ବାହାରିଥିଲେ। ଏଥିଲାଗି ୨୦୧୭ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ପରେ ନିଜେ ବିଜେପିରେ ଯୋଗ ଦେବା ସହ ଦଳକୁ ମଧ୍ୟ ବିଲୟ କରିଦେଇଥିଲେ।

ତେବେ ଶିବସେନାର ନିଜର ଏକ ସଂସ୍କୃତି ରହିଛି। ଏଥିରେ ବାଲା ସାହେବ ଯାହାକୁ ଆଶିର୍ବାଦ କରୁଥିଲେ ପାର୍ଟି ତାଙ୍କୁ ଆଗକୁ ବଢାଇବାରେ ସବୁ ପ୍ରକାର ସହଯୋଗ କରୁଥିଲା। ଏଥିରେ ରାଣେ ବି ବାଲାସାହେବଙ୍କ ଆଶିର୍ବାଦରେ ବଢିଥିବା ରାଜ୍ୟର ଜଣେ ନେତା। ଯାହାଙ୍କ ସହଯୋଗରେ ସେ ଏପର୍ଯ୍ୟନ୍ତ ପହଞ୍ଚିପାରିଲେ ତାଙ୍କ ପରିବାର ଲୋକଙ୍କୁ ସମାଲୋଚନା କରିବାର ମଧ୍ୟ ଏକ ସୀମା ରହିଛି। ତେବେ ରାଣେ ସେହି ସୀମା ପାର କରିଥିବା ଏବେ ବିଜେପିକୁ ମଧ୍ୟ ପ୍ରତୀତ ହୋଇ ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.