ଟେନିସ୍ ଷ୍ଟାର ନାଓମୀ ଓସାକା ଗର୍ଭବତୀ, ଅଷ୍ଟ୍ରେଲିଆ ଓପନରୁ ଓହରିବା ପରେ ନିଜେ ଦେଲେ ସୂଚନା
12/01/2023 at 9:52 PM

ନୂଆଦିଲ୍ଲୀ: ଚାରି ଥରର ଗ୍ରାଣ୍ଡ ସ୍ଲାମ ବିଜେତା ଟେନିସ ଖେଳାଳି ନାଓମୀ ଓସାକା ଗର୍ଭବତୀ ଥିବା ନେଇ ଘୋଷଣା କରିଛନ୍ତି । ଏହାସହ ସେ ଆସନ୍ତା ୨୦୨୪ ଯାଏଁ ଟେନିସରୁ ବ୍ରେକ୍ ନେବେ ବୋଲି କହିଛନ୍ତି । ନାଓମୀ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏହି ସଚନା ଦେଇଛନ୍ତି । ନିଜ ପୋଷ୍ଟରେ ସେ ଲେଖିଛନ୍ତି ଯେ ଅଷ୍ଟ୍ରେଲିଆ ଓପନରୁ ଓହରିବାର କିଛି ଦିନ ପରେ ସେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ । ୨୫ ବର୍ଷୀୟ ଓସାକା ଚଳିତ ସପ୍ତାହରେ କହିଥିଲେ ଯେ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମରୁ ବାହାରେ ରହିବେ ।
ଟେନିସରେ ଜାପାନକୁ ପ୍ରତିନିଧିତ୍ୱ କରୁଥିବା ଦୁନିଆର ପୂର୍ବତନ ନମ୍ୱର ୱାନ ଖେଳାଳି ଓସାକା ଏକ ସୋନୋଗ୍ରାମ ଫଟୋ ସହ ଗୋଟିଏ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ଟେନିସ କୋର୍ଟକୁ ଫେରିବା ପାଇଁ ଆଉ ଅପେକ୍ଷା କରି ହେଉ ନାହି, କିନ୍ତୁ ୨୦୨୩ ପାଇଁ ନିଜ ଜୀବନ ସହ ଅପଡେଟ୍ ଅଛି । ସେ କହିଛନ୍ତି, ‘ମୁଁ ଜାଣିଛି ଯେ ମୋ ପାଖରେ ଭବିଷ୍ୟତରେ ଦେଖିବାକୁ ଅନେକ କିଛି ରହିଛି, କିନ୍ତୁ ଏଥିରୁ ଗୋଟିଏ ଦେଖୁଛି ଯେ ମୋର ପିଲା ମୋର ଗୋଟିଏ ମ୍ୟାଚ ଦେଖିବ ଏବଂ ଅନ୍ୟଙ୍କୁ କହିବ ସେ ମୋର ମାଆ’।
ଓସାକା ଲେଖିଛନ୍ତି ଯେ ୨୦୨୩ ମୋ ପାଇଁ ଶିକ୍ଷାର ବର୍ଷ ହେବ ଏବଂ ଆଶା କରୁଛି ଯେ ୨୦୨୪ରେ ଅଷ୍ଟ୍ରେଲିଆ ଓପନରେ ପୁଣି କୋର୍ଟକୁ ଫେରିବି । ଆପଣ ସମସ୍ତଙ୍କୁ ଅନେକ ଭଲପାଇବା ।
ଓସାକା ୨୦୧୯ ଏବଂ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ ଏବଂ ୨୦୧୮ ଏବଂ ୨୦୨୦ରେ ୟୁଏସ ଓପନ ଜିତି ସହ ଚାରୋଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ହାସଲ କରିଛନ୍ତି ।