୧୫ରୁ ନନ୍ଦନକାନନ ବନ୍ଦ, କରୋନା ପାଇଁ ନିଆଗଲା ଆଗୁଆ ପଦକ୍ଷେପ

Published By : Prameya-News7 Bureau | March 14, 2020 IST

ଭୁବନେଶ୍ବର ୧୪।୩: ସାରା ବିଶ୍ବରେ ଏବେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଓଡିଶାରେ ମଧ୍ୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କରୋନା ମୁକାବିଲା ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ଏମିତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମାର୍ଚ୍ଚ ୧୫ ତାରିଖଠାରୁ ବନ୍ଦ କରିବା ଲାଗି ଘୋଷଣା କରିଛନ୍ତି । ପ୍ରାଣୀ ଉଦ୍ୟାନ ବନ୍ଦ କରିବା ନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିର ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

ନନ୍ଦନକାନନକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହାକୁ ବନ୍ଦ କରିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲା । ରାଜ୍ୟ ବାହାରକୁ ଯିବେନି କି ବାହାରୁ କୌଣସି ସାଂସ୍କୃତିକ ଦଳ ଆସିବେନାହିଁ । ପର୍ଯ୍ୟଟନସ୍ଥଳୀରେ ଜନଗହଳିକୁ ରୋକାଯିବା ନେଇ ନିର୍ଦ୍ଦେଶ ରହିଥିଲା ।

ଶୁକ୍ରବାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍ଥିତି ମୁକାବିଲା ପାଇଁ ଘୋଷଣା ହୋଇଛି ଅଦ୍ଭୂତପୂର୍ବ କଟକଣା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ଓଡିଶା COVID-19 ରେଗୁଲେସନ୍ ୨୦୨୦ । ଏହା ଅନୁଯାୟୀ ସବୁ ସରକାରୀ ଓ ଘରୋଇ ହସପିଟାଲରେ କରୋନା କର୍ଣ୍ଣର ରହିବ । ସ୍ଥିତି ମୁକାବିଲା ଲାଗି ଜିଲ୍ଲାପାଳ, ମ୍ୟୁନିପାଲିଟିକୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି । ଡାକ୍ତରଖାନାରେ ରହିବ ଆଇସୋଲେସନ୍ ୱାର୍ଡ । ସଂକ୍ରମିତ ଅଞ୍ଚଳକୁ ଯାଇପାରିବେନି ବାହାର ଲୋକ । ସଂକ୍ରମିତ ଅଞ୍ଚଳକୁ ଯାଇଥିଲେ ଡାକ୍ତରଙ୍କ ପରାମର୍ଶ ନେବେ । ଘରୋଇ ହସପିଟାଲ ବା ଲ୍ୟାବ୍ କରୋନା ପରୀକ୍ଷା କରିପାରିବେନି । କେବଳ ଭୁବନେଶ୍ବର ସ୍ଥିତ RMRCରେ କରୋନା ଚିହ୍ନଟ ପରୀକ୍ଷା ହେବ । ଏହାସହ କିଛି କଟକଣା ମଧ୍ୟ ଜାରି ହୋଇଛି ।

ସାମାଜିକ ଉତ୍ସବରେ ଏକାଠି ନହେବାକୁ ଅପିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ କରି ଦିଆଯାଇଛି । ସ୍କୁଲ, କଲେଜ, ସିନେମା ହଲ୍, ସୁଇମିଂ ପୁଲ ଓ ଜିମ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମିଥ୍ୟା ଅପପ୍ରଚାର କିମ୍ବା ଗୁଜବ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରସ୍ତୁତ ରହିବା ତେବେ ଆତଙ୍କିତ ନହେବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।

ଏପଟେ ଜେଲ ପରିବେଶ ପରିଷ୍କାର ପାଇଁ ନିର୍ଦ୍ଦେଶ ଦେବାସହ ଭିଡିଓ କନଫରେନସିଂ ମାଧ୍ୟମରେ କଏଦୀମାନେ ହାଜର ହେବେ ବୋଲି ନିର୍ଦ୍ଦେଶ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.