UPରେ ବଦଳିଲା ଆଉ ୨ଟି ସ୍ଥାନର ନାମ, ମୁଣ୍ଡେରା ବାଜାର ହେଲା ଚୌରିଚୌରା, ତେଲିଆ ଆଫଗାନ ନାମ ହେଲା ତେଲିଆ ଶୁକ୍ଲା
27/12/2022 at 8:26 PM

ନୂଆଦିଲ୍ଲୀ ୨୭।୧୨: ଉତ୍ତରପ୍ରଦେଶ (ୟୁପି)ରେ ଯୋଗୀ ସରକାର ଯୋଗୁ ଆଉ ଦୁଇଟି ସ୍ଥାନର ନାମ ବଦଳିଛି। କେନ୍ଦ୍ର ଗୃହମନ୍ତ୍ରାଳୟ ୟୁପି ସରକାରଙ୍କ ଦ୍ୱାରା ମୁଣ୍ଡେରା ବଜାର ନଗର ପାଳିକା ପରିଷଦକୁ ‘ଚୌରିଚୌରା’ ଓ ଦେବରିଆ ଜିଲ୍ଲା ତେଲିଆ ଆଫଗାନ ଗାଁର ନାଁ ତେଲିଆ ଶୁକ୍ଳା କରିବା ପାଇଁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏ ନେଇ ୟୁପି ସରକାରଙ୍କୁ ଏକ ଅନାପତ୍ତି ପ୍ରମାଣପତ୍ର ମଧ୍ୟ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରାଳୟ ଦିଶାନିର୍ଦ୍ଦେଶ ଅନୁସାରେ ସମ୍ବଦ୍ଧିତ ଏଜେନ୍ସୀଙ୍କଠାରୁ ମିଳିଥିବା ପରାମର୍ଶ ପରେ ସ୍ଥାନର ନାମ ବଦଳାଇବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିଥାନ୍ତି। ଏହା ପରେ ମନ୍ତ୍ରାଳୟ କୌଣସି ସ୍ଥାନ ବିଶେଷ ନାମ ପରିବର୍ତ୍ତନ ଲାଗି ଅନାପତି ପ୍ରମାଣପତ୍ର ଜାରି କରିଥାନ୍ତି। ଏହି କ୍ରମରେ ମୁଣ୍ଡେରାବଜାର ନଗରପାଳିକା ପରିଷଦ ଏବେ ତାର ପୁରୁଣା ନାମ ଚୌରିଚୌରା ରୂପେ ପରିଚିତ ହେବାକୁ ଥିବା ବେଳେ ଦେବରିଆ ଜିଲ୍ଲାର ତେଲିଆ ଆଫଗାନ ବଦଳେ ସ୍ଥାନର ନାମ ତେଲିଆ ଶୁକ୍ଳା ଭାବେ ପରିଚିତ ହେବ।

କୌଣସି ସ୍ଥାନର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ଭାରତୀୟ ସର୍ଭେକ୍ଷଣ ବିଭାଗ, ରେଳ ମନ୍ତ୍ରାଳୟ ଓ ଡାକ ବିଭାଗଙ୍କଠାରୁ ଅନାପତି ପ୍ରମାଣପତ୍ର ହାସଲ କରନ୍ତି। ପରେ ନାମ ପରିବର୍ତ୍ତନ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥାଏ। ବିଭାଗ ଓ ମନ୍ତ୍ରାଳୟ ରେକର୍ଡରେ ସମାନ ନାମର କୌଣସି ଠାରେ ସହର ବା ଉପନଗରର ନାମ ନାହିଁ ବୋଲି ପୁଷ୍ଟି କରିଥାନ୍ତି।
ତେବେ ରାଜ୍ୟର ନାମ ପରିର୍ତ୍ତନ ଲାଗି ଅନ୍ୟ ପ୍ରକ୍ରିୟା ଅବଲମ୍ବନ କରାଯାଇଥାଏ। ରାଜ୍ୟର ନାମ ପରିବର୍ତ୍ତନ ଲାଗି ସଂସଦରେ ବହୁମତ ସାଙ୍ଗକୁ ସମ୍ବିଧାନ ସଂଶୋଧନର ଆବଶ୍ୟକତା ପଡିଥାଏ। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରାଳୟ ୨୦୨୦ ମସିହାରେ ୟୁପି ସରକାରଙ୍କ ନିବେଦନ ଅନୁସାରେ ମଡୁଆଡିହ ରେଳ ଷ୍ଟେସନର ନାମ ବଦଳାଇ ‘ବନାରସ’ କରିଥିଲେ। ସେହିପରି ୨୦୧୯ ମସିହାରେ ଏଲହାବାଦର ନାମ ବଦଳାଇ ପ୍ରୟାଗରାଜ କରାଯାଇଥିଲେ।