ଗଦ୍ଦାର ବୋଲି କହିଲେ ଗେହେଲୋଟ: ଜବାବରେ କ'ଣ କହିଲେ ପାଇଲଟ?

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଆଜି ତାଙ୍କ ସହକର୍ମୀ ସଚିନ ପାଇଲଟଙ୍କ ବିରୋଧରେ ନାନାଦି କଟୁ ମନ୍ତବ୍ୟ ଦେଇଛନ୍ତି। ସେ ପାଇଲଟଙ୍କୁ ବେଇମାନ, ଅପଦାର୍ଥ ଓ ବିଦ୍ରୋହୀ ବୋଲି କହିଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାଇଲଟ।

ସେ କହିଛନ୍ତି ଯେ ବର୍ତ୍ତମାନ କାଦୁଅ ଫିଙ୍ଗିବାର ସମୟ ନୁହେଁ। ସିଏମ୍‌ ଅଶୋକ ଗେହେଲୋଟ ମୋ ବିରୋଧରେ ଅନେକ କଥା କହିଥାନ୍ତି। ସେ ମୋତେ ମୂଲ୍ୟହୀନ, ଅପଦାର୍ଥ ଓ ଗଦ୍ଦାର କହୁଛନ୍ତି। ଏହା ଉପରେ ଉତ୍ତର ରଖିବା ସମୟ ଏବେ ନୁହେଁ। ବର୍ତ୍ତମାନ ସମୟ ବିଜେପିକୁ ହରାଇବା ପାଇଁ ଏକାଠୀ ହୋଇ ଲଢ଼ିବାର ସମୟ। ଏବେ ଆମେ ସମସ୍ତେ ରାହୁଲ ଗାନ୍ଧୀଙ୍କ ହାତ ମଜଭୁତ କରିବାରେ ଲାଗିଛୁ। ବିଜେପି ବିରୋଧରେ ଏକାଠୀ ହେବା ଅଧିକ ମହତ୍ୱପୂର୍ଣ୍ଣ ବୋଲି ପାଇଲଟ କହିଛନ୍ତି।

ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆଜି(୨୪ ନଭେମ୍ବର ୨୦୨୨)ରେ ଗୁଜୁରାଟରେ ପହଞ୍ଚିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ। ଏଠାରେ ସେ ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ଜଣେ ଗଦ୍ଦାର (ବେଇମାନ) କେବେ ବି ମୁଖ୍ୟମନ୍ତ୍ରୀ ହୋଇପାରିବ ନାହିଁ। ଯେଉଁ ବ୍ୟକ୍ତିଙ୍କ ପାଖରେ ୧୦ ବିଧାୟକଙ୍କର ବି ସମର୍ଥନ ନାହିଁ ହାଇକମାଣ୍ଡ କେବେ ବି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ। ସିଏ ଦଳକୁ ଧୋକା ଦେଇଛନ୍ତି।, ଦଳ ବିରୋଧରେ ବିଦ୍ରୋହ କରିଛନ୍ତି। ସେ ଜଣେ ବେଇମାନ।”

କେବଳ ସେତିକି ନୁହେଁ ୨୦୨୦ରେ ପାଇଲଟ ବିଜେପି ସହ ମିଶି ନିଜେ ଦଳର ଅଧ୍ୟକ୍ଷ ହୋଇ ସରକାର ଗଡ଼ାଇବାକୁ ଚେଷ୍ଟା କରିଥିଲେ ବୋଲି ଗେହେଲୋଟ ଅଭିଯୋଗ ଆଣିଛନ୍ତି।

ଏହାର ଜବାବରେ ପାଇଲଟ କହିଛନ୍ତି “ମୋତେ ଲାଗୁଛି ଏଭଳି ମିଛ ଓ ଭିତ୍ତିହୀନ ଅଭିଯୋଗ ଆଣିବା ଏବେ ଆବଶ୍ୟକ ନୁହେଁ। ଆଜି ଆବଶ୍ୟକ ଏହି କଥାର ଅଛି ଯେ ଆମେ କେମିତି କଂଗ୍ରେସ ପର୍ଟିକୁ ମଜଭୁତ କରିପାରିବା। ରାହୁଲ ଗାନ୍ଧୀଜୀ ଭାରତ ଯୋଡ଼ା ଯାତ୍ରାରେ ବାହାରିଛନ୍ତି। ମୁଁ ଆଜି ତାଙ୍କ ସହିତ ମଧ୍ୟପ୍ରଦେଶରେ ଥିଲି। ଆସନ୍ତା ମାସ ଏହି ଯାତ୍ରା ରାଜସ୍ଥାନରେ ହେବ। ସମସ୍ତଙ୍କୁ ମିଶି ଏହି ଯାତ୍ରାକୁ ସଫଳ କରିବା। କାରଣ ବର୍ତ୍ତମାନ ଦେଶ ପାଇଁ ଏହା ହିଁ ଜରୁରୀ।”  ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟର ରାଜ୍ୟରେ ଯେମିତି ପୁଣିଥରେ କଂଗ୍ରେସ ଆସିବ ସେ ନେଇ ଉଦ୍ୟମ କରିବା ଦରକାର। ଜଣେ ବରିଷ୍ଠ ନେତା ହୋଇ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ପାଇଲଟ କହିଛନ୍ତି।

ଅନ୍ୟପଟେ ଗେହେଲୋଟଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ସେ ପରୋକ୍ଷରେ ଗେହେଲୋଟ୍‌ଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗେହେଲୋଟଙ୍କ ଭଳି ଜଣେ ବରିଷ୍ଠ ନେତା ପକ୍ଷରେ ଏଭଳି ବ୍ୟବହାର ଅରୁଚିକର ବୋଲି ପରୋକ୍ଷରେ କହିବାକୁ ଚାହିଁଛନ୍ତି ଜୟରାମ ରମେଶ।

ଏନେଇ ଶ୍ରୀ ରମେଶ କହିଛନ୍ତି ଯେ ସମସ୍ୟାକୁ ଭଲଭାବରେ ସମାଧାନ କରାଯାଇ ପାରିବ, ଯାହା କଂଗ୍ରେସକୁ ଆହୁରି ମଜଭୁତ କରିବ। ରମେଶ କହିଛନ୍ତି “ ଅଶୋକ ଗେହେଲୋଟ ଜଣେ ବରିଷ୍ଠ ଓ ଅଭିଜ୍ଞ ନେତା। କନିଷ୍ଠ ସହକର୍ମୀ ସଚିନ ପାଇଲଟଙ୍କ ସହ ତାଙ୍କର ଯାହା ବି ମତଭେଦ ଅଛି ତାର ସମାଧାନ ଏମିତି ଭାବେ ହେବା ଉଚିତ ଯେମିତି କଂଗ୍ରେସ ମଜଭୁତ ହେବ। ବର୍ତ୍ତମାନ ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କ କର୍ତ୍ତବ୍ୟ ଯେ ପ୍ରଚୁର ସଫଳତା ପାଇଥିବା ଭାରତ ଯୋଡ଼ ଯାତ୍ରାକୁ ଉତ୍ତର ଭାରତରେ ସଫଳ କରାଇବା।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.