ତିଷ୍ଠିଲାନି ୧୦ କୋଟିର ବିବାହ, ଶେଷରେ ଅଲଗା ହେବାକୁ ଘୋଷଣା କଲେ ସାମନ୍ଥା ଓ ନାଗା, ଚାରି ବର୍ଷ ପୂର୍ବେ ପଡିଥିଲା ହାତଗଣ୍ଠି

Published By : Prameya-News7 Bureau | October 02, 2021 IST

ହାଇଦରାବାଦ, ୦୨/୧୦: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ ତାରକାଙ୍କ ମଧ୍ୟରେ ସାମିଲ୍ ସାମନ୍ଥା ଓ ନାଗା ଚୈତନଙ୍କ ବିବାହ ବିଚ୍ଛେଦ ହେବ ବୋଲି ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା। ସମସ୍ତ ପ୍ରକାରର କଳ୍ପନା ଜଳ୍ପନା ପରେ ଏବେ ଦୁଇ କଳାକାର ଅଲଗା ହେବାକୁ ଯାଉଛନ୍ତି । ଏନେଇ ଉଭୟ ସୋସିଆଲ୍‌ ମିଡିଆରେ ସେମାନଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଶନିବାର ସାମନ୍ଥା ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସାମନ୍ଥାରୁଥପ୍ରଭୁରେ ଏନେଇ ସ୍ପଷ୍ଟ କରିଥିବା ବେଳେ  ଏବଂ ନାଗା ଚୈତନ୍ୟ ମଧ୍ୟ ତାଙ୍କ ଆକାଉଣ୍ଟ ଚୈତନ୍ୟ ଆକିନେନିରେ ସମାନ ପୋଷ୍ଟ କରିଛନ୍ତି ।

ଉଭୟ ଏଥିରେ ଲେଖିଛନ୍ତି ଯେ, ବହୁତ ବିଚାର କରିବା ପରେ ଆମେ ଦୁହେଁ ପତି-ପତ୍ନୀ ଆମ ରାସ୍ତା ଅଲଗା ଅଲଗା କରିବାକୁ ନିଷ୍ପତ୍ତି ନେଲୁ । ଆମର ସୌଭାଗ୍ୟ ଯେ, ଆମେ ଦଶନ୍ଧି ଧରି ଭଲ ସାଙ୍ଗ ଥିଲୁ । ଆମେ ସର୍ବଦା ଏହି ସଂପର୍କକୁ ଯୋଡ଼ି ରଖିବୁ । ଆମେ ଆମର ଶୁଭ ଚିନ୍ତକ, ଫ୍ୟାନ୍ସ ଏବଂ ମିଡିଆ ଭାଇଙ୍କୁ ଅନୁରୋଧ କରୁଛୁ ଏହି ଜଟିଳ ପରିସ୍ଥିତିରେ ଆମକୁ ସେମାନେ ସପୋର୍ଟ କରନ୍ତୁ । ଆପଣ ସମସ୍ତଙ୍କ ଧନ୍ୟବାଦ ।       

କିଛିଦିନ ତଳେ ଉଭୟ ତାରକାଙ୍କ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିଲା ।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ଥା ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଉଭୟଙ୍କ ସମ୍ପର୍କକୁ କାହାର ନଜର ଲାଗି ଯାଇଥିବା ଆଲୋଚନା ହେଉଥିଲା। ଉଭୟ ପକ୍ଷରୁ ଏନେଇ ପୂର୍ବରୁ କିଛି ସୂଚନା ଦିଆଯାଇ ନଥିଲେ ମଧ୍ୟ ସବୁ ଆଡେ ଚହଳ ପଡିଥିଲା । ଏପରିକି ଏହି କପଲ ଏବେ ଅଲଗା ରହୁଥିବା ବେଳେ ଛାଡପତ୍ର ନେବାକୁ ପ୍ଲାନିଂ କରୁଥିବାର ଶୁଣିବାକୁ ମିଳୁଥିଲା। ଯାହାକୁ ସେମାନେ ଶ୍ୱିକାର କରି ସୋସିଆଲ୍‌ ମିଡିଆରେ ଜଣାଇଛନ୍ତି ।

ଏହି ୨ ଜଣଙ୍କ ସମ୍ପର୍କରେ ଦେଖାଦେଇଥିବା ଝଡର କାରଣ ନେଇ ଉଭୟ ପୂର୍ବରୁ ମୁହଁ ଖୋଲୁ ନ ଥିବା ବେଳେ ଏହା ପଛର କାରଣ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସୂଚନା ଅନୁଯାୟୀ, ଉଭୟଙ୍କ ସମ୍ପର୍କରେ ଫାଟର କାରଣ ସାମନ୍ଥାଙ୍କର ଫିଲ୍ମ ଓ ନିଜ କ୍ୟାରିଅର ପ୍ରତି ଅହେତୁକ ଦୁର୍ବଳତାକୁ ଧରାଯାଉଛି । ବିବାହ ପରେ ବି ସାମନ୍ଥା ଅଭିନୟରେ ପୁରାପୁରୀ ବ୍ୟସ୍ତ ରହୁଛନ୍ତି । ଏପରିକି ଗ୍ଲାମରସ୍‌ ଭାବେ ହଟ ଫଟୋଶୁଟ ବି କରାଉଛନ୍ତି। ଯାହାକି ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ଓ ଶ୍ୱଶୁର ନାଗାର୍ଜୁନଙ୍କୁ ପସନ୍ଦ ଆସୁ ନାହିଁ। ସେମାନେ ଶାଶୁ ଅମଲା ଅକ୍କିନେନିଙ୍କ ପରି ହେବାକୁ ସାମନ୍ଥାଙ୍କୁ ବୁଝାଉଥିଲେ ମଧ୍ୟ ସେ ଏହାକୁ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।

ସାମନ୍ଥା ଶେଷ ଥର ଫ୍ୟାମିଲି ମ୍ୟାନ୍‌-୨ରେ ଖୁବ୍‌ ବୋଲ୍ଡ ରୋଲ ପ୍ଲେ କରିଥିବାର ନଜର ଆସିଥିଲେ। ଏହାର ପ୍ରଭାବ ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ପଡ଼ିଥିବା ଶୁଣିବାକୁ ମିଳିଛି। ହୁଏତ ଏହି କାରଣ ପାଇଁ ସେଲିବ୍ରେଟି କପଲ ଏବେ ଅଲଗା ଅଲଗା ରାସ୍ତା ବାଛି ନେଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.