ବିଜେପି ଜାତୀୟ ଅଧ୍ୟକ୍ଷ ପଦରୁ ହଟି ପାରନ୍ତି ନଡ୍ଡା! ଜାଣନ୍ତୁ କିଏ ଧରିବେ ଦଳର ମଙ୍ଗ?

Published By : Prameya-News7 Bureau | June 06, 2024 IST

ଭୋପାଲ ୬।୬: ବିଜେପିକୁ ନେଇ ସୂତ୍ରରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି। ଦଳର ଜାତୀୟ ସଭାପତି ଜେ.ପି.ନଡ୍ଡା ପଦରୁ ଇସ୍ତଫା ଦେଇ ପାରନ୍ତି। ଯଦି ଦଳରେ ଏପରି କିଛି ହୁଏ ତେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ନଡ୍ଡାଙ୍କ ସ୍ଥାନରେ ଅବସ୍ଥାପନ କରିବା ପାଇଁ ଦିଲ୍ଲୀ ଡକାଯାଇପାରେ। ଶିବରାଜ ସିଂହ ଚୌହାନ ନିକଟରେ ବିଦିଶା ଲୋକସଭା ଆସନରେ କଂଗ୍ରେସର ଭାନୁ ପ୍ରତାପ ଶର୍ମାଙ୍କୁ ୮୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି। 

୨୦୨୪ ଲୋକସଭା ନିର୍ବାଚନ ପ୍ରଚାର କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବରାଜ ସିଂହଙ୍କ ଲାଗି ଏକ ପ୍ରମୁଖ ଭୂମିକାର ସଂକେତ ଦେଇଥିଲେ। ମୋଦି ପିଛିଲା ସହଯୋଗକୁ ମନେ ପକାଇ ଦିଲ୍ଲୀରେ ପୁଣି ଥରେ ତାଙ୍କ ସହ ଶିବରାଜ କାମ କରନ୍ତୁ ବୋଲି ଇଛା ପ୍ରକଟ କରିଥିଲେ। ଶିବରାଜ ଶାସନ ଓ ପାର୍ଟି ସଙ୍ଗଠନ ଉଭୟରେ ଜଣେ ଅନୁଭବୀ ନେତା। ସେ ଦୀର୍ଘ ସମୟ ଧରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରହିବାରେ ରେକର୍ଡ କରିଛନ୍ତି। 

ଶିବରାଜଙ୍କ ଲାଡଲୀ ବେହେନା ଯୋଜନା ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହା ଛଡା ଆରଏସଏସ ସହିତ ଶିବରାଜଙ୍କ ସମ୍ପର୍କ ବେଶ୍ ଗଭୀର। ସେ ଜୀବନର ଅଧିକାଂଶ ସମୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ କଟାଇଛନ୍ତି ଓ ଭାରତୀୟ ଜନତା ଯୁବମୋର୍ଚ୍ଚାର ଜାତୀୟ ସଭାପତି ଭାବେ ମଧ୍ୟ କାମ କରିଛନ୍ତି। ଆସନ୍ତା ଜୁନ ୩୦ ତାରିଖରେ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ଏଥିରେ ଆଶା କରାଯାଉଛି ବିଜେପି ନିଜର ନୂଆ ଜାତୀୟ ସଭାପତିଙ୍କ ଘୋଷଣା କରିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.