ହାଇକୋର୍ଟରୁ ନାଚିକା ଲିଙ୍ଗାଙ୍କୁ ଜାମିନ୍, ସର୍ତ୍ତ ଧାର୍ଯ୍ୟ କରିବେ ଟ୍ରାଏଲ୍ କୋର୍ଟ
5/11/2020 at 12:58 PM

କଟକ ୦୫।୧୧: ନାଚିକା ଲିଙ୍ଗାଙ୍କୁ ହାଇକୋର୍ଟରୁ ଜାମିନ୍ । ଥାନା ଲୁଟ୍ ତଥା ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଥିବା ଚାଷୀ, ମୂଲିଆ, ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏ.କେ. ମିଶ୍ର ଜାମିନ୍ ପ୍ରଦାନ କରିବା ସହ ଟ୍ରାଏଲ କୋର୍ଟ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଖବର ଅନୁଯାୟୀ, ନାଚିକା ଲିଙ୍ଗାଙ୍କ ନାମରେ ୪୫ଟି ମାମଲା ରୁଜୁ ହୋଇଥିଲା। ଏଥିରୁ ୪୪ଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଥିଲାବେଳେ ତାଙ୍କ ନାମରେ ଆଉ ଗୋଟିଏ ମାମଲା ରହିଛି। ଅଭିଯୋଗ ମୁତାବକ ନାଚିକାଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀ ନାରୟଣପାଟଣା ଥାନା ଆକ୍ରମଣ କରିଥିଲେ। ଥାନାରୁ ବନ୍ଧୁକ ଆଦି ଲୁଟ୍ କରିବା ସହ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ନାରାୟଣପାଟଣା ଥାନା ଆଇଆଇସି ୨୦୦୯ ନଭେମ୍ବର ୨୦ ରେ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ଚାର୍ଜସିଟ୍ ହେବା ସହ କୋରାପୁଟ ସହକାରୀ ସେସନ୍ସ ଜଜ୍ଙ୍କ ଅଦାଲତରେ ମାମଲାର ବିଚାର ହୋଇଥିଲା। ଟ୍ରାଏଲ୍ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ନାଚିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କ ଜାମିନ୍ ଖାରଜ କରିଦେବାରୁ ସେ ସୁପ୍ରିମ୍କୋର୍ଟକୁ ଯାଇଥିଲେ।
ସୁପ୍ରିମ୍କୋର୍ଟ ମାମଲାର ଶୁଣାଣି କରି ୬ ମାସ ମଧ୍ୟରେ ଟ୍ରାଏଲ୍ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଟ୍ରାଏଲ୍ ଶେଷ ନହୁଏ ତାହେଲେ ତାଙ୍କୁ ଜାମିନ୍ ପ୍ରଦାନ କରିବାକୁ ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଟ୍ରାଏଲ୍ ଶେଷ ନହେବାରୁ ନାଚିକା ଟ୍ରାଏଲ୍ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ସେଠାରୁ ଜାମିନ୍ ଖାରଜ ହୋଇଯିବାରୁ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟରେ ଶୁଣାଣି ବିଳମ୍ବ ହେବାରୁ ସେ ପୁନର୍ବାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ଗତ ମାସ ୨୮ ତାରିଖରେ ହାଇକୋର୍ଟଙ୍କୁ ୨ ସପ୍ତାହ ମଧ୍ୟରେ ଏହି ଜାମିନ୍ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ବୁଧବାର ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଜେନା ଏବଂ ଦେବପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।