ଡାକ୍ତରଙ୍କୁ ବିଦାୟ ବେଳେ କାନ୍ଦିଲେ ଲୋକେ ; ଲୁହରେ ଭିଜିଲା ଡାକ୍ତରଙ୍କ ଆଖି
9/06/2018 at 12:37 PM

ରାସ୍ତାରେ ଚାଲିଥିଲା ପଟୁଆର । ରାସ୍ତାକୁ ବାହାରି ଆସିଥିଲେ ଶହ ଶହ ପୁରୁଷ ମହିଳା । ରାସ୍ତା ଜାମ୍ ହୋଇ ଯାଇଥିଲା । ଅନେକଙ୍କ ଆଖିରୁ ଆପେ ଲୁହ ଝରି ଯାଉଥିଲା । ସେ ସିନେମା କରିନାହାନ୍ତି, କିନ୍ତୁ ଲୋକଙ୍କ ପାଇଁ ଅସଲ ହିରୋ । ଲୋକେ କାନ୍ଧରେ ବସାଇ, ପରିକ୍ରମା କରାଇଥିଲେ । ଏହି ଦୃଶ୍ୟ ନବରଙ୍ଗପୁର ତେନ୍ତୁଳିଖୁଣ୍ଟିର। କେବଳ କାନ୍ଧରେ ବସି ନାହାନ୍ତି, ଯୁବ ଡାକ୍ତର ଡକ୍ଟର କିଶୋର ଚନ୍ଦ୍ର ଦାସ ଲୋକଙ୍କ ମନରେ ଏମିତି ବସି ଯାଇଥିଲେ ଯେ, ତାଙ୍କୁ ବିଦାୟ ଦେବାର ମୂହୂର୍ତ୍ତ ଥିଲା ଅତି ଆବେଗପୂର୍ଣ୍ଣ ।
ନବରଙ୍ଗପୁର ଉପାନ୍ତ ଅଞ୍ଚଳର ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦୧୦ରେ ମେଡିକାଲ ଅଫିସର ଭାବରେ ଯୋଗ ଦେଇଥିଲେ ଡକ୍ଟର କିଶୋର ଚନ୍ଦ୍ର ଦାସ । ଆଗରୁ ବି ଅନେକ ଆସିଥିଲେ, କିନ୍ତୁ ଇଏ ଥିଲେ ସବୁଠୁ ଅଲଗା । ତାଙ୍କ ହାତରେ ଡାକ୍ତରଖାନାର ଚେହେରା ବଦଳି ଯାଇଥିଲା । ସେବାରେ ଲୋକଙ୍କ ଆସ୍ଥା ଜିଣିଥିଲେ ଏହି ୩୨ବର୍ଷୀୟ ଯୁବ ଡାକ୍ତର । ୨୦୧୪ରେ ଏହି ଇଲାକାରେ ଝାଡାବାନ୍ତି ବ୍ୟାପିଥିଲା, ସେତେବେଳେ ଡାକ୍ତର ଦାସ ନିଜ ଟିମ୍ ସହ ଅଣ୍ଟା ଭିଡିଥିଲେ । ଏହା ପରେ ସାରା ବ୍ଲକର ୭୦ହଜାର ଲୋକଙ୍କ ପାଇଁ ଯେମିତି ଭଗବାନ ପାଲଟି ଯାଇଥିଲେ ।
ବେଙ୍ଗାଳୁରୁର ରାଜୀବ ଗାନ୍ଧୀ ଯୁନିଭରସିଟି ଅଫ୍ ମେଡିକାଲ ସାଇନସ୍ ରେ ଏମ୍ବିବିଏସ୍ କରିଛନ୍ତି ଡକ୍ଟର ଦାସ । ଏବେ ଅସ୍ଥିଶଲ୍ୟ ବିଭାଗରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲ କଲେଜରେ ପିଜି କରିବା ପାଇଁ ଡକ୍ଟର ଦାସ ଯାଉଛନ୍ତି । ଗତ ମେ ୩୧ତାରିଖରେ ଥିଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଶେଷ ଦିନ । ଏହି ଖବର ପାଇବା ପରେ ସାରା ଅଞ୍ଚଳରେ ଲୋକ ପହଞ୍ଚିଥିଲେ ଭାରି ହୃଦୟରେ ତାଙ୍କୁ ବିଦାୟ ଦେବାକୁ । ଏମିତି ଏକ ଭଲ ପାଇଭା ଦେଖି ଡକ୍ଟର ଦାସଙ୍କ ଆଖି ବି ଜକେଇ ଆସିଥିଲା । ସେ କହିଥିଲେ ସୁଯୋଗ ମିଳିଲେ ପୁଣି ତେନ୍ତୁଳିଖୁଣ୍ଟି ଆସିବି ।