ବିଶ୍ବ କପ୍ ହକିରେ ନବରଙ୍ଗପୁର ଜିଲ୍ଲାର ହସ୍ତଶିଳ୍ପ ଲାଖକୁ ମିଳିବ ନୂଆ ପରିଚୟ ; ଖେଳାଳି ଏବଂ ଅଫିସିଆଲସଙ୍କୁ ସ୍ମୃତି ସନ୍ତକ ଭାବରେ ଦିଆଯିବ ଲାଖର କାରୁକାର୍ଯ୍ୟ

Published By : Prameya-News7 Bureau | October 06, 2018 IST

ନବରଙ୍ଗପୁର ୬|୧୦:  ନବରଙ୍ଗପୁର ଜିଲ୍ଲାର ହସ୍ତଶିଳ୍ପ ଲାଖକୁ ବିଶ୍ବ କପ୍ ହକିରେ ମିଳିବ ନୂତନ ପରିଚୟ । ବିଦେଶରୁ ଆସୁଥିବା ଖେଳାଳି ଏବଂ ଅଫିସିଆଲସଙ୍କୁ ସ୍ମୃତି ସନ୍ତକ ଭାବରେ ମିଳିବ ଲାଖର କାରୁକାର୍ଯ୍ୟ । ବିଶ୍ବ ଦେଖିବ ନବରଙ୍ଗପୁରର ଲାଖ କାରୁକାର୍ଯ୍ୟ । ଭୁବନେଶ୍ବରରେ ଖେଳାଯିବ ବିଶ୍ବ କପ୍ ହକି । ଏଥିରେ ସାମିଲ ହେବେ ଅନେକ ବିଦେଶୀ ଖେଳାଳି ଏବଂ ଅଫିସିଆଲସ୍ । ଏମାନଙ୍କୁ ଉପହାର ସ୍ବରୂପ ଓଡ଼ିଶାର ପ୍ରସିଦ୍ଧ ଲାଖ କାରୁକାର୍ଯ୍ୟ ଉପହାର ଦିଆଯାଇ ସ୍ବାଗତ କରାଯିବ। ନବରଙ୍ଗପୁର ଲାଖ କଳାକୁ ବିଶ୍ବ ଦରବାରରେ ମିଳିବ ସ୍ବତନ୍ତ୍ର ପରିଚୟ । ବାଉଁଶ ଓ ଲାଖରେ ପ୍ରସ୍ତୁତ ହୋଇଥିବା ଏହି ଲାଖ କାରୁକାର୍ଯ୍ୟ ପ୍ରାୟତଃ ନବରଙ୍ଗପୁର ସହରରେ ସୀମିତ ଥିବା । ତେବେ ବିଶ୍ବ କପ୍ ହକିରେ ଲାଖ କଳାକୁ ନୂଆ ପରିଚୟ ମିଳିବାକୁ ଥିବାବେଳେ କାରିଗରମାନେ ଏବେ ବ୍ୟସ୍ତ । ନବରଙ୍ଗପୁର ସଂଖାରି ସାହିର ଶିଳ୍ପୀ ପରିବାରର ଖୁସି କହିଲେ ନସରେ । ଓଡ଼ିଶାର ପ୍ରତିଷ୍ଠିତ କାରୁକାର୍ଯ୍ୟ ସହ ନବରଙ୍ଗପୁର ଲାଖ କାରୁକାର୍ଯ୍ୟ ମଧ୍ୟ ସାମିଲ ହୋଇଥିବାରୁ ଜିଲ୍ଳାପାଳ ଖୁସି ବ୍ୟକ୍ତ କରିଛନ୍ତି । ଏହାକୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ମାନଙ୍କରେ ସାମିଲ କରିବା ସହିତ ଲାଖ ଶିଳ୍ପୀଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ଦିଆଯିବା ନେଇ ସୂଚନା ଦେଇଛନ୍ତି । ଅନେକ ବାଧା ବିଘ୍ନ ସତ୍ତ୍ବେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଲାଖ ଶିଳ୍ପୀ । ଏବେ ବିଶ୍ବ ଦରବାରର ସେମାନଙ୍କ ହାତର ନିଖୁଣ ଯାଦୁ ପହଞ୍ଚିବା ପାଇଁ ବାଟ ଫିଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.