ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ବ୍ୟାପକ ହେବ : ୧୨ ତାରିଖରୁ ରାଜ୍ୟର ପ୍ରତି ପଂଚାୟତ ଏବଂ ୧୫ ତାରିଖରୁ ରାଜ୍ୟର ପ୍ରତି ଥାନା ଆଗରେ ଧାରଣା

Published By : Prameya-News7 Bureau | November 09, 2018 IST

ଭୁବନେଶ୍ବର ୯|୧୧: ପ୍ରାଇସ୍, ପ୍ରେସଷ୍ଟିଜ୍ ଏବଂ ପେନସନ୍ ଦାବି ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୧୨ ତାରିଖରୁ ରାଜ୍ୟର ପ୍ରତି ପଂଚାୟତ ଆଗରେ ସଂଗଠନ ପକ୍ଷରୁ ଧାରଣା ଦିଆଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେହିପରି ୧୫ ତାରିଖରୁ ରାଜ୍ୟର ପ୍ରତି ଥାନା ଆଗରେ ଧାରଣା ଦେବ କୃଷକ ସଂଗଠନ । ଯଦି ରାଜଧାନୀ ସରକାରଙ୍କର, ତେବେ ଗାଁ ଆମର ବୋଲି କହିଛନ୍ତି ଅକ୍ଷୟ କୁମାର । ଯଦି ଚାଷୀଙ୍କୁ ରାଜଧାନୀ ମନା ତେବେ ଗାଁକୁ ନେତାଙ୍କୁ ପଶିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଦୀର୍ଘ ୭ ଦିନ ଧରି ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱରରେ ପହଂଚିଥିଲେ ହଜାର ହଜାର ଚାଷୀ । କିନ୍ତୁ ପ୍ରଶାସନ ଏମାନଙ୍କୁ ରାଜଧାନୀ ଭିତରେ ପ୍ରବେଶ କରିବାକୁ ବାରଣ କରିଥିଲା । ଏହି ସମୟରେ ପୁଲିସ୍ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଉ ଏବେ ଆନ୍ଦୋଳନକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ନବ ନିର୍ମାଣ କୃଷକ ସଂଗଠନ । ସୂଚନାଯୋଗ୍ୟ ଯେ, ଚାଷୀ ସଂଗଠନର ଦାବି ସମ୍ପର୍କରେ ତର୍ଜମା କରିବା ପାଇଁ ସରକାର ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଓ ରାଲିକୁ ବିଭିନ୍ନ ସ୍ଥାନରେ କଂଗ୍ରେସ ସମର୍ଥନ ପ୍ରଦାନ କରିଥିବାବେଳେ ବିଜେପି ମଧ୍ୟ ପରୋକ୍ଷରେ ସମର୍ଥନ ପ୍ରଦାନ କରିଥିଲା । ଅପରପକ୍ଷରେ ପଶ୍ଚିମ ଓଡିଶାର ଚାଷୀନେତା ଲିଂଗରାଜ ନବ ନିର୍ମାଣ କୃଷକ ସଂଗଠନର ଦାବୀ ଓ ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.