ଶେଷ ଯାତ୍ରାରେ ନବ ଦାସ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ
30/01/2023 at 2:00 PM

ଝାରସୁଗୁଡ଼ା ୩୦।୦୧ : ଅନ୍ତିମ ଯାତ୍ରାରେ ନବଦାସ। ଝାରସୁଗୁଡ଼ାରେ ମୃତଦେହ ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଦିଆଯାଉଛି ଅନ୍ତିମ ବିଦାୟ। ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି। ରାଷ୍ଟୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର। ସୋମବାର ସକାଳୁ ସରକାରୀ ବାସଭବନରେ ରହିଥିଲା ନବ ଦାସଙ୍କ ପାର୍ଥିବ ଶରୀର। ସେଠାରୁ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ଏହାପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛି ମରଶରୀର । ନବ ଦାସଙ୍କ ପାର୍ଥିବ ଶରୀର ଝାରସୁଗୁଡ଼ା ବେହେରାମାଲ କିଷାନ ଛକ ଠାରୁ ବାହାରି ମନମୋହନ ଏମ. ଇ. ସ୍କୁଲ ପଡ଼ିଆରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହା ପରେ ଅପରାହ୍ନ ୩ଟାରେ ଝାରସୁଗୁଡ଼ାର ଖେରୁଆଲ ଠାରେ ଅନ୍ତିମ ସଂସ୍କାର କରାଯିବ। ପୂରା ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
ସୂଚନାନୁସାରେ, ଭୁବନେଶ୍ୱର ସ୍ଥିତ ନବ ଦାସଙ୍କ ସରକାରୀ ବାସଭବନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ନେତା ଓ ମନ୍ତ୍ରୀ ଅନ୍ତିମ ଦର୍ଶନ କରିଥିଲେ। ଭୁବନେଶ୍ୱର ସ୍ଥିତ ବାସଭବନରେ ନବ ଦାସଙ୍କୁ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।