ଝାରସୁଗୁଡ଼ାରେ ହେବ ନବ ଦାସଙ୍କ ଶେଷକୃତ୍ୟ, ବେହେରାମାଲ କିଷାନ ଛକରୁ ହେବ ଶେଷଯାତ୍ରା
30/01/2023 at 7:47 AM

ଭୁବନେଶ୍ୱର ୩୦।୦୧ : ସୋମବାର ନବଦାସଙ୍କ ହେବ ଅନ୍ତିମ ସଂସ୍କାର । ଝାରସୁଗୁଡାରେ ହେବ ଅନ୍ତିମ ସଂସ୍କାର । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ଯିବ ପାର୍ଥିବଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ । ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ ୩ ଜଣ ମନ୍ତ୍ରୀ ।

ଏବେ ସରକାରୀ ବାସଭବନରେ ରହିଛି ନବ ଦାସଙ୍କ ପାର୍ଥିବ ଶରୀର । ଏଠାରୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ ପାର୍ଥିବ ଶରୀର । ସେହିପରି ଝାରସୁଗୁଡ଼ାରେ ମରଶରୀର ପହଞ୍ଚିବା ପରେ ଦିନ ୧୧ଟା ବେଳେ ନବ ଦାସଙ୍କ ପାର୍ଥିବ ଶରୀର ଝାରସୁଗୁଡ଼ା ବେହେରାମାଲ କିଷାନ ଛକ ଠାରୁ ବାହାରି ମନମୋହନ ଏମ. ଇ. ସ୍କୁଲ ପଡ଼ିଆରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ ଅପରାହ୍ନ ୩ଟାରେ ଝାରସୁଗୁଡ଼ାର ଖେରୁଆଲ ଠାରେ ଅନ୍ତିମ ସଂସ୍କାର କରାଯିବ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳିକରିଥିଲେ । ଯେଉଁଥିରେ ନବ ଦାସ ହିଁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ସ୍ୱତନ୍ତ୍ର ବିମାନ ଯୋଗେ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଗ୍ରୀନ୍ କରିଡରରେ ନବ ଦାସଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲଗାତର ଭାବେ ନବ ଦାସଙ୍କ ଚିକିତ୍ସା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ଶେଷରେ ଡାକ୍ତରଙ୍କ ଶତ ଚେଷ୍ଟା ହୋଇଥିଲା ବିଫଳ । ଆଉ ମେଡିକାଲରେ ହିଁ ଆଖିବୁଜିଥିଲେ ନବ ଦାସ ।