ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି ଦାସ କରିବେ ତଦନ୍ତର ତଦାରଖ
1/02/2023 at 2:17 PM

ଭୁବନେଶ୍ୱର ୦୧।୦୨ : ନବ ଦାସ ହତ୍ୟାକାଣ୍ଡ ମାମଲା । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି ଦାସଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଜଷ୍ଟିସ୍ ଦାସ୍ ନବ ଦାସ ହତ୍ୟା ତଦନ୍ତର ତଦାରଖ କରିବେ । ଲଗାତର ଭାବେ ସେ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ।
ପୂର୍ବରୁ ନବଦାସଙ୍କ ହତ୍ୟା ତଦନ୍ତର ତଦାରଖ ଲାଗି କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ଏନେଇ ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରିବା ଲାଗି ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ଏକ ଦଳୀୟ କାର୍ଯ୍ୟକ୍ରମରେ ନବ ଦାସ ଯୋଗଦେବାକୁ ଯାଉଥିବା ବେଳେ ଗାନ୍ଧି ଛକ ଫାଣ୍ଡି ଏଏସ୍ଆଇ ଗୋପାଳ ଦାସ ଗୁଳି କରିଥିଲେ । ଯେଉଁଥିରେ ନବ ଦାସ ହିଁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ ନବ ଦାସ ।