ଘରୋଇ ହସ୍ପିଟାଲରେ ନବ ଦାସ ଭର୍ତ୍ତି, ଏୟାରପୋର୍ଟରୁ ଗ୍ରୀନ୍ କରିଡରରେ ଆଣିଲା ପୋଲିସ
29/01/2023 at 3:12 PM

ଭୁବନେଶ୍ୱର ୨୯।୦୧ : ଭୁବନେଶ୍ୱରକୁ ଏୟାରଲିଫ୍ଟ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନବ ଦାସ । ଗ୍ରୀନ୍ କରିଡରରେ ନବଦାସଙ୍କୁ ଆଣିଛି ପୋଲିସ । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ କରାଯାଇଛି ଏୟାରଲିଫ୍ଟ ।
ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସମୟରେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳିମାଡ଼ କରିଥିଲେ । ଯେଉଁଥିରେ ନବ ଦାସ ଘଟଣାସ୍ଥଳରେ ହିଁ ପଡ଼ିଯାଇଥିଲେ । ପରେ ସେଠାରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଛି ।
କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଓ ନେତା ଆସି ପହଞ୍ଚିଛନ୍ତି । ସମସ୍ତେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଗୁଳିମାଡ ଘଟଣାକୁ ଦୃଢ ନିନ୍ଦା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।