ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ASI ଗୋପାଳ ଦାସ ଗିରଫ, ୭ ଦିନିଆ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ

30/01/2023 at 5:57 PM

ଝାରସୁଗୁଡା: ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି। ସୋମବାର ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡା କୋର୍ଟରେ ହାଜର କରାଯିବ। ସେଠାରେ ସାତ ଦିନ ରିମାଣ୍ଡରେ ନେବା ପୋଇଁ କ୍ରାଇବ୍ରାଞ୍ଚ କୋର୍ଟରେ ଆବେଦନ କରିବ। ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ନବ ଦାସଙ୍କ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି।

କାହିଁକି ସେ ମନ୍ତ୍ରୀଙ୍କୁ ଗୁଳି କଲେ ଏବଂ ଏହା ପଛରେ ଆଉ କାହାର ରହିଛି ଏସବୁ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ତେତେ ଗୋପାଳ ନବ ଦାସଙ୍କ ପିଏସଓ ନଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଗତକାଲି ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କର୍ମୀ ଫୁଲମାଳ ପିନ୍ଧାଇ ସ୍ଵାଗତ କରୁଥିବାବ ବେଳେ ଗୁଳିମାଡ କରିଥିଲେ ଗୋପାଳ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ସକଳ ଚେଷ୍ଟା ସତ୍ତ୍ଵେ ନବ ଦାସଙ୍କ ମୃତ୍ୟୁ ଘଟିଥିଲା।

ଗୁଳିମାଡ ପରେ ତୁରନ୍ତ ପୋଲିସ ଅଭିଯୁକ୍ତ ଏଏସଆଇ ଗୋପାଳକୁ କବଜା କରିଥିଲା। ଏହି ସମୟରେ ବିଜେଡି ସମର୍ଥକ ଗୋପାଳ ଉପରେ ଆକ୍ରମଣ କରିବକାୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ଏବଂ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଶେଷରେ ପୋଲିସ ଗୋପାଳଙ୍କୁ ନିଜ ହେପାଜତରେ ନେବାରେ ସଫଳ ହୋଇଥିଲା। ଘଟଣା ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତୁରନ୍ତ କ୍ରାଇମବ୍ରାଞ୍ଚ ଦଳ ଝାରସୁଗୁଡା ଯାତ୍ରା କରିଥିଲେ। ଗତକାଲିଠୁ କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳଙ୍କୁ ଜେରା କରିଥିଲେ।

ମନ୍ତ୍ରୀଙ୍କୁ ଗତକାଲି ବ୍ରଜରାଜନଗର ଗାନ୍ଧୀ ଛକରେ ଏଏସଆଇ ଗୋପାଳଚନ୍ଦ୍ର ଦାସ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ ତାଙ୍କୁ ଅଟକ ରଖି ଲୁଚାଇ ରଖିଥିଲା। ଗାନ୍ଧୀ ଛକରେ ଗୁଳି କରିଥିବା ଏଏସଆଇଙ୍କୁ ଜେରା କରିବାରେ ବାଧା ଉପୁଜିବ ବୋଲି ଆଶଙ୍କା କରି ତାଙ୍କୁ ସୁନ୍ଦରଗଡ଼ ରିଜର୍ଭ ଲାଇନ୍‌କୁ ରାତିରେ ଆଣି ରଖାଯାଇଥିଲା। ରାତିରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅରୁଣା ବୋଥ୍ରା ସୁନ୍ଦରଗଡ ଆସି ସରକାରୀ ଅତିଥି ଭବନରେ ରାତ୍ରୀ ଯାପନ କରିଥିଲେ। ସୋମବାର ସକାଳ ୧୦ଟାରେ ରିଜର୍ଭ ଲାଇନକୁ ଯାଇ ଗୋପାଳ ଚନ୍ଦ୍ର ଦାସଙ୍କୁ ଜେରା କରିଛନ୍ତି । ରିଜର୍ଭ ଲାଇନ୍‌ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେପଟେ ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ବ୍ରଜରାଜନଗର ଆଇଆଇସି ଏତଲା ଦେଇଛନ୍ତି। ହତ୍ୟା ଉଦ୍ଦେଶ୍ୟରେ ଏଏସଆଇ ଗୋପାଳ ଦାସ ଫାଇରିଂ କରିଥିବା ଉଲ୍ଲେଖ ରହିଛି।

ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ସାରା ରାଜ୍ୟ ସ୍ତବ୍ଧ ହୋଇ ପଡିଥିବା ବେଳେ ରାଜନୀତି ମଧ୍ୟ ସରଗରମ ରହିଛି। ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ପୋଲିସ୍ କହିଛି। ତେବେ କେମିତି ଜଣେ ମାନସିକ ଚାପଗ୍ରସ୍ତ ଥିବା ପୋଲିସ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ନିୟୋଜିତ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ନବଙ୍କ ହତ୍ୟା ଘଟଣା ପଛରେ ବଡ ଷଡଯନ୍ତ୍ର ରହିଛି। ଏହା ଏକ ସୁନିୟୋଜିତ ହତ୍ୟା ଯୋଜନା। ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତ ରାଜ୍ୟ ସରକାରଙ୍କ ବୋଲକରା ଏଜେନ୍ସି। ତେଣୁ ସିବିଆଇକୁ ତଦନ୍ତ ଦାୟିତ୍ଵ ଦେଲେ ମାମଲାର ସଠିକ୍ ତଦନ୍ତ ହୋଇ ପାରିବ ଏବଂ ଏଥିରେ ସଂପୃକ୍ତ ବଡ ବଡ ବ୍ୟକ୍ତି ଧରା ପଡି ପାରିବେ ବୋଲି ଜୟ ନାରାୟଣ ମିଶ୍ର କହିଥିଲେ। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ନବଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥିବା କହିଛନ୍ତି।

   Related Posts