ମିଆଁମାରର ବହିଷ୍କୃତ ରାଜନେତାଙ୍କୁ ପାଞ୍ଚ ମାମଲାରେ କ୍ଷମାଦାନ, ଏବେବି ଅଛନ୍ତି ମିଲିଟାରୀ ସେନାର ନଜରବନ୍ଦୀ
1/08/2023 at 11:28 PM

ନୂଆଦିଲ୍ଲୀ, ୦୧/୦୮: ଜେଲ୍ରେ ନଜରବନ୍ଦୀ ଥିବା ମିଆଁମାରର ବହିଷ୍କୃତ ରାଜନେତା ଆଙ୍ଗ ସାନ୍ ସୁଙ୍କୁ ପାଞ୍ଚ ଅପରାଧିକ ମାମଲାରେ ମୁକ୍ତ କରାଯାଇଛି। ଏନେଇ ମଙ୍ଗଳବାର ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି। ଏହା ସହ ତାଙ୍କର ସମୁଦାୟ ସଜା ସମୟ ୬ ବର୍ଷ କମ୍ ହୋଇଛି। ଅବଶ୍ୟ ଏବେବି ତାଙ୍କୁ ଆଉ ୧୪ ଅନ୍ୟ ମାମଲାରେ ସାମ୍ନା କରିବାକୁ ପଡ଼ିବ।
ପ୍ରକୃତରେ ମିଆଁମାର ଛୁଟି କିମ୍ବା ବିଶେଷ ବୌଦ୍ଧ ତିଥି ପାଳନ କରିବା ପାଇଁ ହଜାର ହଜାର କଏଦୀଙ୍କୁ କ୍ଷମା ପ୍ରଦାନ କରିଥାଏ। ଅଗଷ୍ଟ ତିନିରେ ହେବାକୁ ଥିବା ବୌଦ୍ଧ ମୂର୍ତ୍ତି ଉଦଘାଟନ ଅବସରରେ ୭୦୦୦ କଏଦୀଙ୍କୁ କ୍ଷମା ପ୍ରଦାନ କରାଯିବ। ଆଉ ଏହି କ୍ରମରେ ସୁଙ୍କୁ ୫ ମାମଲାରେ କ୍ଷମା ପ୍ରଦାନ କରାଯାଇଛି। ପ୍ରସାରଣରେ କୁହାଯାଇଛି ୧୯ ମାମଲାରୁ ପାଞ୍ଚ ମାମଲାରେ କ୍ଷମା କରିଦିଆଯାଇଛି କିନ୍ତୁ ତାଙ୍କୁ ୧୪ ମାମଲାରେ ସାମ୍ନା କରିବାକୁ ପଡ଼ିବ।
ସୂଚନାଥାଉକି, ୨୦୨୧ରେ ଦେଶରେ ମିଲିଟାରୀ ସେନା ଜୁଣ୍ଟା ଶାସନ ଅକ୍ତିଆର କରିବା ପରଠାରୁ ସୁ ଜେଲ୍ରେ ଅଛନ୍ତି। ତାଙ୍କୁ ଜୁଣ୍ଟା ସେନା ଭ୍ରଷ୍ଟାଚାର, ଅବୈଧ ଓ୍ବାକି ଟକି ରଖିବା ଏବଂ କୋରୋନା ଭାଇରସ ନିୟମ ଉଲ୍ଲଘଂନ ସହ ଅନେକ ଅଭିଯୋଗରେ ୩୩ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଜୁଣ୍ଟା ସେନା ମିଆଁମାର ଶାସନ ଅକ୍ତିଆର ପରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରକୁ ସଂଘର୍ଷକୁ ଠେଲିଦେଇଛି। ଯାହାଦ୍ବାରା ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଶାସନ ଅକ୍ତିଆର ପରଠାରୁ ଅସନ୍ତୋଷ ଯୋଗୁଁ ସେନାର କାର୍ଯ୍ୟାନୁଷ୍ଠାନରେ ୩୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ୨୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ଗଣତନ୍ତ୍ର ଏବଂ ମାନବାଧିକାର ପାଇଁ ନିଜର ଅହିଂସକ ସଂଘର୍ଷ ପାଇଁ ପରିଚିତ ସୁ ଜେଲ୍ ହେବା ପରେ ନିଜର ଆଭିମୁଖ୍ୟ ବଦଳାଇଥିଲେ। ଆଉ ଏହି କାରଣରୁ ତାଙ୍କୁ କ୍ଷମାଦାନ ଦିଆଯାଇଥିବା ନେଇ କୁହାଯାଉଛି।