ମିଆଁମାରରେ ରକ୍ତମୁଖା ହେଲା ‘ଅରାକାନ୍‌ ଆର୍ମି’; ୪୦୦ରୁ ଅଧିକ ଯବାନଙ୍କୁ ହତ୍ୟା, ବିମାନବନ୍ଦର କବ୍‌ଜା

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ: ମିଆଁମାରରେ ରକ୍ତମୁଖା ସଂଖ୍ୟାଲଘୁ ଜନଜାତି ‘ଅରାକାନ୍’ ବିଦ୍ରୋହୀ ଗୋଷ୍ଠୀ । ଦେଶରେ ମିଲଟାରୀ ସରକାର ଓ ‘ଅରକାନ’ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସେନା ଓ ସଂଖ୍ୟାଲଘୁ ଗୋଷ୍ଠୀ ବିଦ୍ରୋହରେ ୪୦୦ ଯବାନ ପ୍ରାଣ ହରାଇଛନ୍ତି । ଏନେଇ ‘ଅରାକାନ୍‌ ଆର୍ମି’ ରବିବାର ବିଳମ୍ବିତ ରାତିରେ ଟେଲିଗ୍ରାମ୍‌ ମାଧ୍ୟମରେ  ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ସେମାନେ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଯୁଦ୍ଧସ୍ଥଳରୁ ୪୦୦ରୁ ଅଧିକ ସୈନିକଙ୍କ  ମୃତଦେହ ମିଳିଛି । ଏହାବ୍ୟତୀତ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି । ତେବେ ଅରାକାନ୍‌ ଆର୍ମି କରିଥିବା ଏହି ଦାବିକୁ ନେଇ ମିଆଁମାର ସରକାରଙ୍କ ପକ୍ଷରୁ  କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । 

‘ଅରାକାନ୍‌’ ଦୀର୍ଘଦିନ ହେଲା ଦେଶର ସେନା ଶାସନକୁ ବିରୋଧ କରିଆସୁଛି । ଏଥିଲାଗି ଉଭୟ  ପକ୍ଷ ମଧ୍ୟରେ ସଂଘର୍ଷ ଜାରି ରହିଛି । ଇତିମଧ୍ୟରେ ବିଦ୍ରୋହୀ ଗୋଷ୍ଠୀ ଏକ ବିମାନବନ୍ଦରକୁ ନିଜ  କବ୍‌ଜାକୁ ନେଇଯାଇଛି । ଥାଁଡ଼ୱେ ନାମକ ଏହି ବିମାନବନ୍ଦର ମିଆଁମାରର ପଶ୍ଚିମ ପ୍ରଦେଶ  ରଖାଇନ୍‌ର ଦକ୍ଷିଣ ଭାଗରେ ରହିଛି । ଏହାକୁ ମା ଜିନ୍‌ ଏୟାରପୋର୍ଟ ବୋଲି କୁହାଯାଏ ।   ଦେଶର ସବୁଠୁ ବଡ଼ ସହର ୟଙ୍ଗୁନ୍‌ଠାରୁ ଏହାର ଦୂରତା ୨୬୦ କିଲୋମିଟର ହେବ । ମିଆଁମାରରେ ସେନା ଶାସନ ଲାଗୁ ହେବା ପରେ ପ୍ରଥମ ବିମାନବନ୍ଦର ଭାବେ ଥାଁଡ଼ୱେ ଏୟାରପୋର୍ଟକୁ  ବିଦ୍ରୋହୀ ଗୋଷ୍ଠୀ କବ୍‌ଜା କରିନେଇଛି । ଏହା ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ତଟବର୍ତ୍ତୀ ରିସର୍ଟଗୁଡ଼ିକୁ ସେବା ପ୍ରଦାନ କରିଥାଏ । ବିମାନବନ୍ଦରକୁ କବ୍‌ଜା କରିନେବା ପରେ ଅରାକାନ ଆର୍ମି ପାଇଁ ବର୍ତ୍ତମାନ ରଖାଇନ ପ୍ରଦେଶର ତଟବର୍ତ୍ତୀ ଅଞ୍ଚଳକୁ କବ୍‌ଜା କରିବାର  ରାସ୍ତା ଖୋଲିଯାଇଛି । ବିମାନବନ୍ଦର ବିଦ୍ରୋହୀଙ୍କ ହାତକୁ ଚାଲିଯିବା  ପରେ ସେଠାରେ ସମସ୍ତ ପ୍ରକାର କାର୍ଯ୍ୟକଳାପ  ଉପରେ ରୋକ ଲଗାଯାଇଛି ।

୨୦୨୧ରେ ଆଙ୍ଗ୍‌ ସାନ୍‌ ସୁ କୀଙ୍କ ନିର୍ବାଚିତ ସରକାରକୁ ହଟାଇ ସେନା କ୍ଷମତାସୀନ  ହୋଇଥିଲା । ସେବେଠାରୁ ସେଠାରେ ସେନା ଶାସନ ଜାରି ରହିଛି । ଏହାପରେ ଦେଶର ବିଭିନ୍ନ  ସ୍ଥାନରେ ସେନା ଶାସନ ବିରୋଧରେ ବିଦ୍ରୋହୀ ଗୋଷ୍ଠୀମାନେ ରକ୍ତମୁଖା ହୋଇଉଠିଛନ୍ତି । ଏମାନଙ୍କ  ମଧ୍ୟରେ ଉଭୟ ଗଣତନ୍ତ୍ରର ସମର୍ଥକ ଏବଂ ଗରିଲ୍ଲା  ଗୋଷ୍ଠୀ ସାମିଲ ଅଛନ୍ତି । ଅରାକାନ ଆର୍ମି ମିଆଁମାର ସଂଖ୍ୟାଲଘୁ ବୌଦ୍ଧ ରଖାଇନ ସମୁଦାୟର ମିଲିଟାରୀ ଶାଖା । ମିଆଁମାର ସେନା ସରକାରଠାରୁ ରଖାଇନ ପ୍ରଦେଶକୁ ମୁକ୍ତ କରିବା ଏହାର ଲକ୍ଷ୍ୟ । ଅରାକାନ  ଆର୍ମିକୁ ଅରଖା ଆର୍ମି ବି କୁହାଯାଏ । ଗତବର୍ଷ  ନଭେମ୍ବର ପରଠାରୁ ଅରାକାନ ଆର୍ମି ୯ଟି ବସ୍ତି  ଉପରେ କବ୍‌ଜା କରିଛି । ମିଆଁମାରରେ ୨୦୨୧ ଫେବ୍ରୁଆରୀ ୧ରେ ସରକାରକୁ ସେନା ହଟାଇ ଦେଇଥିଲା ।  ଏହାପରେ ଷ୍ଟେଟ କାଉନସେଲର ଆଙ୍ଗ ସାନ୍‌ ସୁ କୀ ଏବଂ ରାଷ୍ଟ୍ରପତି ୱିନ୍‌ ମିଣ୍ଟଙ୍କ ସମେତ  ଅନେକ ନେତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେମାନଙ୍କ  ବିରୋଧରେ ଡଜନେରୁ ଅଧିକ ମାମଲା ଦାୟର  ହୋଇଥିଲା । ଅନେକ ମାମଲାରେ ସେମାନଙ୍କୁ  ଦୋଷୀ ସାବ୍ୟସ୍ତ ବି କରାଯାଇଛି । ସେମାନେ  ରାଜଧାନୀ ନାପିଦରେ ୨୭ ବର୍ଷର ଜେଲଦଣ୍ଡ  କାଟୁଛନ୍ତି । ଏହାପରେ ସେନା ମୁଖ୍ୟ ଜେନେରାଲ ମିନ୍‌ ଆଙ୍ଗ୍‌ ହାଲିଙ୍ଗ୍‌ ନିଜକୁ ଦେଶର ପ୍ରଧାନମନ୍ତ୍ରୀ   ଘୋଷଣା କରିଥିଲେ । 

ସେନା ଦେଶରେ ୨ ବର୍ଷର  ଜରୁରି ପରିସ୍ଥିତି ଘୋଷଣା କରିଥିଲା । ପରେ ଏହାକୁ ବଢ଼ାଯାଇଥିଲା । ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ରିପୋର୍ଟ ମୁତାବକ ମିଆଁମାରରେ ୨୦୨୧ରେ ହୋଇଥିବା  ସରକାର କବ୍‌ଜା ଘଟଣା ପରେ ସେନା ୬ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରିସାରିଲାଣି । ମିଆଁମାରରେ ଲଗାତର ଭାବେ ବିଦ୍ରୋହୀଙ୍କୁ ଫାଶିଦଣ୍ଡ ଦିଆଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.