ମୋ ପୁଅ କହେ କୋହଲି ଯେବେ ବ୍ୟାଟିଂ କରିବାକୁ ଆସିବେ ବାପା ମୋତେ ଉଠାଇ ଦେବ: ମାଇକେଲ୍ ଭନ୍

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧।୧୨: ସଂପ୍ରତି କ୍ରିକେଟ୍‌ ଜଗତରେ ବିରାଟ କୋହଲି ସର୍ବଶ୍ରେଷ୍ଠ କ୍ରିକେଟ୍‌ର। ସାରା ଦୁନିଆର କ୍ରିକେଟ୍ ପ୍ରଶଂସକ ତାଙ୍କୁ ପସନ୍ଦ କରନ୍ତି। କୋହଲି ଯେବେ କ୍ରିଜ୍‌ରେ ଥାଆନ୍ତି, ତେବେ ଦର୍ଶକ ତାଙ୍କ ବ୍ୟାଟିଂ ଉପଭୋଗ କରିବାର ସୁଯୋଗ ହାତଛଡା କରିବାକୁ ଚାହାନ୍ତି ନାହିଁ। ତାଙ୍କର ନିରନ୍ତନ ପ୍ରଦର୍ଶନ ତାଙ୍କୁ ଅନ୍ୟଙ୍କଠୁ ସ୍ଵତନ୍ତ୍ର କରିଛି। କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗି ସାରିଛନ୍ତି। ତାଙ୍କ ନାମରେ ଅଦ୍ୟାବଧି ୭୦ ଅନ୍ତରାଷ୍ଟ୍ରୀୟ ଶତକର ରେକର୍ଡ ରହିଛି। ଏଥିରୁ ୪୩ ଦିନିକିଆ ଏବଂ ୨୭ ଶତକ ଟେଷ୍ଟ କ୍ରିକେଟ୍‌ରେ ହୋଇଛି।

କୋହଲି ଭାରତୀୟ କ୍ରିକେଟ୍‌କୁ ଏକ ଭିନ୍ନ ସ୍ତରକୁ ନେଇ ଯାଇଛନ୍ତି। ଛୋଟ ପିଲା ଏବଂ ଯୁବ ବର୍ଗ ତାଙ୍କ ପରି ହେବାକୁ ଚାହାନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ ମଧ୍ୟ ଯୁବ ବର୍ଗଙ୍କ ଉପରେ କୋହଲିଙ୍କ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ସେ ଖୁଲାସା କରିଛନ୍ତି ଯେ, ତାଙ୍କ ପୁଅ କୋହଲିଙ୍କ ବହୁତ ବଡ ପ୍ରଶଂସକ। ସେ ମୋତେ କୁହେ ଯେ, ବାପା ଯେବେ କୋହଲି ବ୍ୟାଟିଂ କରିବାକୁ ଆସିବେ ମୋତେ ଉଠାଇ ଦେବ।

ଭନ୍ କହିଛନ୍ତି, ମୋ ପୁଅ ଜଣେ ଖେଳାଳି। ସେ ସର୍ବଦା ମୋତେ କୁହେ ଯେ, ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଲେ ତାଙ୍କୁ ଉଠାଇ ଦେବ। ଗତ ମ୍ୟାଚ୍ ଯେମିତି ବିରାଟ କୋହଲି ମିଡ୍‌ ଓ୍ଵିକେଟ୍‌ରେ କ୍ୟାଚ୍ ଆଉଟ୍ ହେଲେ, ପୁଅ ତୁରନ୍ତ ଭିତରକୁ ଯାଇ ଅନ୍ୟ କାମ କରିବାକୁ ଲାଗିଲା। କୋହଲି ଛୋଟ ଛୋଟ ପିଲାଙ୍କ ଗହଣରେ ବହୁତ ଲୋକପ୍ରିୟ। ସେ ଜଣେ ସ୍ଵତନ୍ତ୍ର ଖେଳାଳି।

କୋହଲି ରବିବାର ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ମ୍ୟାଚ୍‌ରେ ୮୯ ରନର ଇନିଂସ ଖେଳିଥିଲେ।  ଭାରତ ସମ୍ମୁଖରେ ୩୯୦ ରନର ବିଶାଳ ଲକ୍ଷ୍ୟ ରହିଥିଲା। କୋହଲି ଶତକର ନିକଟତର ହେଉଥିଲେ, ମାତ୍ର ମୋଏସିସ୍ ହେନରିକ୍ସ ସଟ୍ ମିଡ୍ ଓ୍ଵିକେଟ୍‌ରେ ଡ୍ରାଇଭ ମାରି ତାଙ୍କ କ୍ୟାଚ୍ ଧରିଥିଲେ। ଚଳିତ ବର୍ଷ କୋହଲି ୮ ମ୍ୟାଚ୍‌ରୁ ୪ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ମାତ୍ର ଗୋଟିଏ ହେଲେ ଶତକ ହାସଲ କରି ପାରି ନାହାନ୍ତି।

କୋହଲି ଶତକରୁ ବଞ୍ଚିତ ହେବା ଉପରେ  ଭନ କହିଛନ୍ତି, ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଏହି ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି, କୋହଲି ଏବେ ମଧ୍ୟ ଭଲ ଫର୍ମରେ ଅଛନ୍ତି। କେବଳ ଗୋଟିଏ ଶତକ ଲଗାଇବା ପରେ ସେ ଆହୁରି ୩-୪ ଶତକ କରି ଦେବେ। ତାଙ୍କ ବ୍ୟାଟିଂକୁ ନେଇ କୌଣସି ସମସ୍ୟା ନାହିଁ। ସଂପ୍ରତି ସେ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଖେଳାଳି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.