୧୨ ଘଣ୍ଟାରେ ନାଗରିକଙ୍କୁ ନରିମମ ପଏଣ୍ଟରୁ ଦିଲ୍ଲୀ ପହଞ୍ଚାଇବା ମୋର ସ୍ଵପ୍ନ: ନୀତିନ ଗଡକରୀ

Published By : Prameya-News7 Bureau | August 21, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ଓ୍ଵେ ଜାତୀୟ ରାଜପଥର ୭୦ ପ୍ରତିଶତ କାମ ପୂରା ହୋଇ ସାରିଛି। ରବିବାର ଏହାର ସୂଚନା ଦେଇଛନ୍ତି ଖୋଦ୍ କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ଆସୋସିଏସନ ଅଫ କନସଲଟିଙ୍ଗ ସିଭିଲ୍ ଇଞ୍ଜିନିୟର୍ସଙ୍କ ଦ୍ଵାରା ଆୟୋଜିତ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଗଡକରୀ ଏହା କହିଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ଓ୍ଵେ ଦେଶର ରାଜଧାନୀ ଏବଂ ଦେଶର ଆର୍ଥିକ ରାଜଧାନୀକୁ ସଂଯୋଗ କରିବ ଏବଂ ଯୋଗାଯୋଗରେ ବ୍ୟାପକ ପରିବର୍ତ୍ତନ ଆଣିବ।

ଗଡକରୀ କହିଛନ୍ତି, ସେ ଆଶା ରଖିଛନ୍ତି ମୁମ୍ବାଇର ନରିମମ ପଏଣ୍ଟରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ୍ସପ୍ରେସ୍ ଓ୍ଵେରେ ଯାତ୍ରା କରିବା ପାଇଁ ଆବଶ୍ୟକ ସମୟ ସୀମାକୁ ହ୍ରାସ କରି କେବଳ ୧୨ ଘଣ୍ଟା କରି ଦିଆଯିବ । ୧୨ ଘଣ୍ଟାରେ ନାଗରିକଙ୍କୁ ନରିମମ ପଏଣ୍ଟରୁ ଦିଲ୍ଲୀ  ପହଞ୍ଚାଇବା ମୋର ସ୍ଵପ୍ନ। ୨୦୨୩ ମାର୍ଚ୍ଚ ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ଵେର ଉପଯୋଗ କରାଯାଇ ପାରିବ। ହରିୟାଣା,ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ର ପରି ରାଜ୍ୟଗୁଡିକୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ସହ ସଂଯୋଗ କରାଯିବ ବୋଲି ଗଡକରୀ କହିଛନ୍ତି।

ଏହା ବ୍ୟତୀତ ଏହି ରାଜମାର୍ଗ ଜୟପୁର, କିଶନଗଢ, ଆଜମେର, କୋଟା, ଚିତ୍ତୌଗଡ, ଉଦୟପୁର, ଭୋପାଳ, ଉଜ୍ଜୈନ, ଇନ୍ଦୋର, ଅହମ୍ମଦାବାଦ, ଭଦୋଦରା ଏବଂ ସୁରଟ ପରି ଆର୍ଥିକ କେନ୍ଦ୍ରର ଯୋଗାଯୋଗକୁ ଆହୁରି ସୁଗମ କରିବ। ଏଥିରେ ଲକ୍ଷାଧିକ ଲୋକଙ୍କୁ ଆର୍ଥିକ ସମୃଦ୍ଧି ମିଳିବ। ଭାରତ ସରକାର ଦ୍ଵାରା ଆରମ୍ଭ ହୋଇଥିବା ମହତ୍ଵାକାଂକ୍ଷୀ ଭାରତମାଳା ପ୍ରକଳ୍ପ ଏହି ପର୍ଯ୍ୟାୟରୁ ଆରମ୍ଭ ହେବ। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସଓ୍ଵେ ନିକଟ ବର୍ଷରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ଦ୍ଵାରା ଆରମ୍ଭ ହୋଇଥିବା  ମହତ୍ଵପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। ୧୩୮୦ କିଲୋମିଟର ଲମ୍ବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ଵେର ନିର୍ମାଣରେ ୯୮୦୦୦ କୋଟି ଟଙ୍କା ବଜେଟ୍ ରହିଛି। ଏହା ଭାରତର ସବୁଠୁ ଲମ୍ବା ଏକ୍ସପ୍ରେସ୍‌ଓ୍ଵେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.