ହେଟ୍‌ ସ୍ପିଚ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ହେଟ୍‌ ସ୍ପିଚ୍‌କୁ ରୋକିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନରେ ଗତକାଲି ଶୁଣାଣି କରିଥିଲେ କୋର୍ଟ। ଏଥିରେ ଗଣମାଧ୍ୟମକୁ ସମାଲୋଚନା କରିବା ସହ NBSAକୁ ମଧ୍ୟ ତାଗିଦ୍ କରିଥିଲେ। ଗଣମାଧ୍ୟମ ଓ NBSAକୁ ସାମାନ୍ୟ ମର୍ଯ୍ୟାଦ ରକ୍ଷା କରିବାକୁ କହିଥିଲେ କୋର୍ଟ।

ଟିଆର୍‌ପି ପାଇଁ ଟିଭି ଚ୍ୟାନେଲ୍‌ଗୁଡ଼ିକ ମଧ୍ୟରେ ଲାଗିଥିବା ପ୍ରତିଯୋଗୀତା ଲାଗିଛି। ଏଥିପାଇଁ ଚ୍ୟାନେଲ୍‌ଗୁଡ଼ିକ ଖବରଗୁଡ଼ିକୁ ଚାଞ୍ଚଲ୍ୟକର କରିଦେଉଛନ୍ତି। ଖବର ଉପସ୍ଥାପକ ମିଡିଆକୁ ପ୍ରତିନିଧିତ୍ୱ କରୁଥିବାରୁ ଯଦି ସିଏ ଏମିତି ହେଟ୍‌ ସ୍ପିଚ୍‌ ମନ୍ତବ୍ୟ ଦେବେ ତେବେ ତାଙ୍କୁ ଟିଭି ପରଦାରୁ ହଟାଇ ଦିଆଯାଉ ବୋଲି କୋର୍ଟ କହିଛନ୍ତି।

ହେଟ୍‌ ସ୍ପିଚ୍‌ ଉପରେ କଟକଣା ଲଗାଇବା ପାଇଁ ସୁପ୍ରିମକୋର୍ଟେରେ ଏକ ଆବେଦନ ହୋଇଥିଲା। ଯାହାର ଶୁଣାଣି କରିଥିଲେ ଜଷ୍ଟିସ କେଏମ୍ ଜେସେଫ୍ ଏବଂ ବିଭି ନଗରଥନା। ଜାତୀୟ ପ୍ରସାରଣ ମାନକ ପ୍ରାଧିକରଣ(NBSA) ଏହାର ପରିଚାଳନା ବୋର୍ଡ ହୋଇଥିବାରୁ ମାନବୀୟ ଗରିମା ବଜାଇ ରଖିବାକୁ କୋର୍ଟ କହିଥିଲେ।

କେବଳ ଗଣମାଧ୍ୟମ ନୁହେଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏଥିରେ ଧ୍ୟାନ ଦେବା ଦରକାର। ଚାଞ୍ଚଲ୍ୟକର ରିପୋର୍ଟିଂ ଓ ବାରମ୍ବାର ହେଟ୍‌ ସ୍ପିଚ୍‌ ଦେଉଥିବା ନେତାମାନଙ୍କୁ ନେଇ ସେମାନଙ୍କର ଆଭିମୁଖ୍ୟ କଣ ତାହା ସ୍ପଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜଷ୍ଟିସ ଜୋଶେଫ୍ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ଗଣମାଧ୍ୟମ ପରିଚାଳନା ନେଇ ସରକାରଙ୍କର ନୀତିକୁ ଆମେ ପସନ୍ଦ କରୁ ନାହୁଁ। କିନ୍ତୁ ଏହା ଦେଶର ୟୁନିଟିର କଥା।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସ୍‌ଜି କେଏମ୍‌ ନଟରାଜ ପ୍ରତିନିଧିତ୍ୱ କରୁଥିବା ବେଳେ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ। ହେଟ୍‌ ସ୍ପିଚ୍ ପାଇଁ ସିଆର୍‌ପିସି ଓ  ଆଇପିସିରେ ଥିବା ନୀୟମ ବର୍ତ୍ତମାନ ବିଚାରାଧିନ ଅଛି ବୋଲି ଏସ୍‌ଜି କୋର୍ଟଙ୍କୁ ଅବଗତ କରିଥିଲେ।

ହେଟ୍‌ ସ୍ପିଚ୍ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କେଉଁସବୁ ନିଷ୍ପତ୍ତି ନେଉଚନ୍ତି ତାହା ସ୍ପଷ୍ଟ କରିବାକୁ କୋର୍ଟ ଉଭୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷୁ ପ୍ରତିନିଧିତ୍ୱ କରୁଥିବା ଏସ୍‌ଜି କହିଛନ୍ତି ଯେ ସିଆର୍‌ପିସିରେ ଆମେ ଏନେଇ ଆଇନ ଆଣୁଛୁ। ଏଥିରେ କିଛି ମହତ୍ୱପୂର୍ଣ୍ଣ ସଂଶୋଧନ ଉପରେ ବିଚାର କରାଯାଇଛି। ଯେହେତୁ ଏହା ଏକ ପରାମର୍ଶମୂଳକ ପ୍ରକ୍ରିୟା ତେବେ ଏଥିରେ ସମୟ ଲାଗିବ ବୋଲି ଏଏସ୍‌ଜି କହିଛନ୍ତି।

ତା ସହିତ ଯେଉଁ ଟିଭି ଆଙ୍କର ମିଡିଆ ହାଉସ୍ ପକ୍ଷପାତ, ଭ୍ରମାତ୍ମକ ଖବର ଓ ଚାଞ୍ଚଲ୍ୟକର କରି ଖବର ପ୍ରସାରଣ କରୁଥିବେ ତାଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କୋର୍ଟ NBSAକୁ ପ୍ରଶ୍ନ କରିଛନ୍ତି। ତା ସହିତ ଖବର ପ୍ରସାରଣ ବେଳେ ମିଡିଆମାନଙ୍କରେ ବ୍ୟବହାର କରାଯାଉଥିବା ଶବ୍ଦର ବ୍ୟବହାରକୁ ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।

ନିକଟରେ ଏୟାର ଇଣ୍ଡିଆରେ ପରିସ୍ରା କରିବା ଘଟଣାରେ ଏଭଳି ଭାଷାର ପ୍ରୟୋଗ କରାଯାଇଥିଲା ବୋଲି କହି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ପରିସ୍ରା କରିଥିବା ବ୍ୟକ୍ତିଙ୍କୁ ଟିଭି ଚ୍ୟାନେଲ୍‌ରେ କେଉଁଭଳି ସମ୍ବୋଧନ କରାଯାଉଥିଲା? ଯେହେତୁ ମାମଲା ବିଚାରାଧୀନ ଅଛି ଓ ଏଥିରେ ଏକ ମାନବୀୟ ଦିଗ ବି ରହିଛି। ତେଣୁ ପରିଚାଳନା ବଡି ହିସାବରେ ଆପଣ(NBSA) ମାନବୀୟ ମର୍ଯ୍ୟାଦାକୁ ସୁନିଶ୍ଚିତ କରିବା ଆପଣଙ୍କ ଦାୟିତ୍ୱ ବୋଲି ବିଚାରପତି ଜୋସେଫ୍ କହିଛନ୍ତି। ତା ସହିତ ହେଟ୍‌ ସ୍ପିଚ୍‌କୁ ରୋକିବା ପାଇଁ କେଉଁସବୁ ପଦକ୍ଷେପ ନିଆଯାଇଛି ସେ ନେଇ ରିପୋର୍ଟ ଦେବାକୁ ରାଜ୍ୟମାନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ କୋର୍ଟ ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ହେଟ୍‌ ସ୍ପିଚ୍‌କୁ ନେଇ ହୋଇଥିବା ଘଟଣାଗୁଡ଼ିକରେ ସରକାର କେଉଁସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସହ ବରିଷ୍ଠ କକିଲ ସଞ୍ଜୟ ହେଗ୍‌ଡେଙ୍କୁ ଏ ଦିଗରେ ଆମିକସ କ୍ୟୁରି ଭାବରେ କାମ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପରବର୍ତ୍ତି ଶୁଣାଣି ଫେବ୍ରୁଆରିରେ ହେବ।  

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.