ଭାରତରେ ମୁସଲମାନଙ୍କୁ ଅଛୁଆଁ କରିଦିଆଗଲା: ଓବେସୀ

Published By : Prameya-News7 Bureau | October 20, 2024 IST

ହାଇଦ୍ରାବାଦ ୨୦।୧୦: ଉତ୍ତରାଖଣ୍ଡ ଚାମୋଲୀ ଜିଲ୍ଲାରେ ମୁସ୍ଲିମ ସମୂଦାୟକୁ ବାସନ୍ଦ ଆଦେଶ ପରେ ଦେଶରେ ରାଜନୀତି ଉଷ୍ମ ହେବାରେ ଲାଗିଛି। ଚାମୋଲୀର ମାୟଥନ ଗାଁର ଲୋକେ ଗାଁକୁ ମୁସଲମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ଓ ଗାଁରେ ରହୁଥିବା ୧୫ ମୁସଲମାନ ପରିବାରଙ୍କୁ ସାମାଜିକ ବାସନ୍ଦ ଆଦେଶ ଦିଆଯାଇଛି। ଏହା ଛଡା ସେମାନଙ୍କୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଗାଁ ଛାଡି ଚାଲିଯିବାକୁ କୁହାଯାଇଛି। 

ଏହି ମାମଲାରେ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସୀ ବଡ଼ ବୟାନ ଦେଇଛନ୍ତି। ସେ ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଉତ୍ତରାଖଣ୍ଡ ସରକାରଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ଓବେସୀ ଏକ୍ସରେ ଲେଖିଛନ୍ତି ଯେ ଏହା ସେହି ଉତ୍ତରାଖଣ୍ଡ ଯେଉଁଠି ସରକାର ସମାନତା ନାମରେ ସମାନ ନାଗରିକ ସଂହିତା ଲାଗୁ କରିଛନ୍ତି। ଏଥିରେ ଚାମୋଲୀର ମୁସଲମାନଙ୍କୁ ସମାନତା ଓ ସମ୍ମାନର ସହିତ ରହିବାର ଅଧିକାର ନାହିଁ ?


ସେ ଲେଖିଛନ୍ତି ଯେ ଭାରତରେ ମୁସଲମାନଙ୍କୁ ଅଛୁଆଁ କରିଦିଆଯାଇଛି। ଉତ୍ତରାଖଣ୍ଡର ଚାମୋଲୀରେ ୧୫ ମୁସଲମାନ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ଚାମୋଲୀର ବ୍ୟବସାୟୀମାନଙ୍କୁ ଧମକ ଦିଆଯାଇଛି ସେମାନେ ୩୧ ଡିସେମ୍ବର ସୁଦ୍ଧା ଚାମୋଲୀ ଛାଡିବେ। ଯଦି ଘର ମାଲିକ ମୁସଲମାନଙ୍କୁ ଘର ଭଡା ଦେବେ ତେବେ ୧୦ ହଜାର ଟଙ୍କା ଜରିମନା କରାଯିବ। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଉଲ୍ଲେଖ କରିଛନ୍ତି। କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ଆରବର ଶେଖଙ୍କ ସହ ଗଳାମିଳାଇ ପାରନ୍ତି ତେବେ ଚାମୋଲୀର ମୁସଲମାନଙ୍କୁ ମଧ୍ୟ ଗଳାରେ ଲଗାଇ ପାରିବେ। ମୋଦି ଭାରତର ପ୍ରଧାନମନ୍ତ୍ରୀ ସାଉଦୀ ଅଥବା ଦୁବାଇର ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। 


ମାୟଥନ ବ୍ୟାପାର ମଣ୍ଡଳର ଜନୈକ ନେତା ଗଣମାଧ୍ୟମ ଆଲୋଚନା କାଳରେ ମୁସଲମାନଙ୍କୁ ଚେତାବନୀ ସମ୍ପର୍କରେ କହିଛନ୍ତି।  ଚେତାବନୀ ଅନୁସାରେ ମୁସ୍ଲିମ ସମୂଦାୟଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ଗାଁ ଛାଡିବାକୁ କୁହାଯାଇଛି। ଯଦି ସେମାନେ ଗାଁ ନ ଛାଡନ୍ତି ତେବେ ସେମାନେ ରହୁଥିବା ଘରର ମାଲିକଙ୍କ ଉପରେ ଜରିମନା କରାଯିବ। ଗ୍ରାମବାସୀ ମଧ୍ୟ ଫେରି କରିବାକୁ ଗାଁକୁ ଆସୁଥିବା ଲୋକଙ୍କ ଉପରେ ରୋକ ଲଗାଇଛନ୍ତି। ସ୍ଥାନୀୟ ଲୋକେ ଓ ମାୟଥନ ବ୍ୟାପାର ମଣ୍ଡଳ ବୁଧବାର ଏକ ବୈଠକ କରିଥିଲେ। ଏଥିରେ ଜିଲ୍ଲାରେ ବଢୁଥିବା ଅପରାଧିକ ଗତିବିଦ୍ଧି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ମୁସଲମାନଙ୍କୁ ସାମାଜିକ ବାସନ୍ଦ ନିଷ୍ପତ୍ତି ନିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.