ହନୁମାନ ମନ୍ଦିର ପାଇଁ ମୁସଲିମ ବ୍ୟକ୍ତି ଦାନ କଲେ ଏକ କୋଟି ଟଙ୍କାର ଜମି, ମିଳୁଛି ଭୁରି ଭୁରି ପ୍ରଶଂସା

Published By : Prameya-News7 Bureau | December 08, 2020 IST

ବେଙ୍ଗାଲୁରୁ ୦୮।୧୨: ବେଙ୍ଗାଲୁରୁ ସହର ବାହ୍ୟ ଅଞ୍ଚଳରେ ନିର୍ମିତ ଏକ ହନୁମାନ ମନ୍ଦିରର ବିସ୍ତାର ପାଇଁ ଜଣେ ମୁସଲିମ ବ୍ୟବସାୟୀ ୧୬୩୪ ବର୍ଗଫୁଟ୍‌  ଜମି ଦାନ କରିଛନ୍ତି। ଏହି ଜମିର ମୂଲ୍ୟ ୮୦ ଲକ୍ଷରୁ ନେଇ ଏକ କୋଟି ଟଙ୍କା ହେବ  ବୋଲି ଆକଳନ କରାଯାଇଛି। ମୁସଲିମ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି।

ମାଲ ପରିବହନର ବ୍ୟବସାୟ କରୁଥିବା ଏମଏମଜି ବାଶାଙ୍କ ମତରେ ବାଲଗେରାପୁରରେ ତାଙ୍କର ତିନି ଏକରର ଜମି ନିକଟରେ ଏକ ହନୁମାନ ମନ୍ଦିର ରହିଛି। ଏହି ମନ୍ଦିରରେ ସମୟ କ୍ରମେ ଭକ୍ତଙ୍କ ସଂଖ୍ୟା  ବଢିବାରେ ଲାଗିଥିଲା। ଏହି କାରଣରୁ ସେଠାରେ ଅନେକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା। ଟ୍ରଷ୍ଟ ମନ୍ଦିର ବିସ୍ତାରର ଯୋଜନା ପ୍ରସ୍ତୁତ କରୁଥିଲେ। ମାତ୍ର ଅର୍ଥାଭାବ କାରଣରୁ ମନ୍ଦିରର ବିସ୍ତାର  ହୋଇ ପାରୁନଥିଲା। ବାଶା ନିଜର ଜମି ଦାନ କରିବାକୁ ଇଚ୍ଛୁକ ଥିବା ହନୁମାନ ମନ୍ଦିର ଟ୍ରଷ୍ଟକୁ ଜଣାଇଥିଲେ। କାରଣ ଏହି ଜମି ଜାତୀୟ ରାଜପଥ ନିକଟରେ ରହିଥିଲା। ଏହି କାରଣରୁ ଏହି ଜମିର ମୂଲ୍ୟ ମଧ୍ୟ ସେହି ଅନୁସାରେ ଅଧିକ ଥିଲା।

ହେଲେ ମନ୍ଦିରର ଟ୍ରଷ୍ଟ ୧୦୮୯ ବର୍ଗ ଫୁଟ୍‌ ଜମିର ଆବଶ୍ୟକତା ଥିବା କହିଥିଲେ। ମାତ୍ର ବାଶା ନିଜ ପରିବାର ସହିତ ଆଲୋଚନା କରିବା ପରେ ୧୬୩୪ ବର୍ଗଫୁଟ୍ ଜମି ଟ୍ରଷ୍ଟକୁ ଦାନ କରିଛନ୍ତି। ଏହି ଜମିର ମୂଲ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି। ସେ ବିନା କୌଣସି ଟଙ୍କାରେ ଜମିକୁ ଦାନ କରିଛନ୍ତି। ଟ୍ରଷ୍ଟ ବ୍ୟାନର ଲଗାଇ ବାଶା ଓ ତାଙ୍କ ପରିବାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗଣମାଧ୍ୟମ ସହ ଆଲୋଚନା  ବେଳେ ବାଶା କହିଛନ୍ତି, ହିନ୍ଦୁ ଓ ମୁସଲମାନ ଦୀର୍ଘ ସମୟ ଧରି ଏକ ସଙ୍ଗେ ରହି ଆସିଛନ୍ତି। କିନ୍ତୁ ଆଜି ବିଭାଜନକାରୀ ଖବର ଚର୍ଚ୍ଚାରେ ରହୁଛି। ଯଦି ପ୍ରଗତି ଦରକାର ତେବେ ଆମକୁ ଏକ ଦେଶ ଭାବେ ଏକଜୁଟ ହେବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ତାଙ୍କ ଆଖପାଖରେ ରହୁଥିବା ସାହି ପଡିଶା ବାଶାଙ୍କ ଏହି ନିଷ୍ପତ୍ତିକୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.