ସପରିବାର ହିନ୍ଦୁ ଧର୍ମ ଗ୍ରହଣ କଲେ ମୁସଲମାନ ଯୁବକ ; ଶହଜାଦରୁ ହେଲେ ସଞ୍ଜୁ, କହିଲେ ସ୍ବପ୍ନରେ ଆସୁଥିଲେ ଶ୍ରୀରାମ
2/11/2018 at 4:48 PM

ଶାମଲି ୨|୧୧: ଉତ୍ତରପ୍ରଦେଶ ଶାମଲିରେ ଜଣେ ମୁସଲମାନ ଯୁବକ ଧର୍ମ ପରିବର୍ତ୍ତନ କରିଛନ୍ତି । ସେ ସପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ, ରାତିରେ ତାଙ୍କ ସ୍ବପ୍ନରେ ପ୍ରଭୁ ଶ୍ରୀରାମ ଆସୁଥିଲେ । ଯେଉଁଥିପାଇଁ ସେ ଧର୍ମ ପରିବର୍ତ୍ତନ କରିବା ସହ ମନ୍ଦିରରେ ପୂଜାପାଠ କରିଛନ୍ତି । ଯୁବକ ଜଣଙ୍କ ତାଙ୍କ ପରିବାର ସହ ଶାମିଲର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିବା ସହ ପୂଜାପାଠ କରିବାର ଅନୁମତି ମଧ୍ୟ ନେଇଛନ୍ତି ।
ଶାମିଲ ଜନପଦର ସଦର କୋତଓ୍ବାଲି ଅଞ୍ଚଳରେ ଘଟିଛି ଏହି ଘଟଣା । ହରେନ୍ଦ୍ରନଗରରେ ରହୁଥିବା ଶହଜାଦ ନାମକ ଯୁବକ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ସେ ନିଜର ନାମ ଶହଜାଦରୁ ସଞ୍ଜୁ ରଖିଛନ୍ତି । ଶହଜାଦ ଓରଫ ସଞ୍ଜୁ କହିଛନ୍ତି ଯେ, କିଛି ଦିନ ହେବ ପ୍ରଭୁ ଶ୍ରୀରାମ ତାଙ୍କ ସ୍ବପ୍ନରେ ଆସୁଥିଲେ ଏବଂ ତାଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ କହୁଥିଲେ । ଏହି କାରଣରୁ ସେ ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।
ଶହଜାଦ ଗୁରୁବାର ଦିନ ନିଜ ପରିବାର ସହ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଫିସରେ ପହଞ୍ଚି ଥିଲେ । ପ୍ରାର୍ଥନା ପତ୍ର ଦେଇ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଅନୁମତି ଦେବାପାଇଁ ଅନୁରୋଧ କରିଥିଲେ । ଶହଜାଦ କହିଛନ୍ତି ଯେ ତାଙ୍କ ପୂର୍ବପୁରୁଷ ହିନ୍ଦୁ ଥିଲେ । ସେମାନଙ୍କୁ କିଛି ଲୋକ ମିଳିମିଶି ମୁସଲମାନ ଧର୍ମ ଗ୍ରହଣ କରାଇଦେଇଥିଲେ । ସେ ପୁଣି ଥରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ସେ କହିଛନ୍ତି ପ୍ରଭୁ ଶ୍ରୀରାମଙ୍କୁ ସେ ନିଜର ଇଷ୍ଟ ଦେବତା ମାନିଛନ୍ତି । ସେ ଏବେଠାରୁ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଜୀବନ ଅତିବାହିତ କରିବେ । ସଞ୍ଜୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଶିବ ମନ୍ଦିରରେ ପୂଜାଅର୍ଚ୍ଚନା ମଧ୍ୟ କରିଥିଲେ । ଭଗବାନ ଶିବ ଏବଂ ଶ୍ରୀରାମଙ୍କ ନାମ ସଂକୀର୍ତ୍ତନ ମଧ୍ୟ କରିଥିଲେ ।