ସଂସ୍କୃତରେ ପିଏଚ୍‌ଡି କରି ଉଦାହରଣ ସୃଷ୍ଟି କଲେ ମୁସଲମାନ ଯୁବତୀ: ପଢ଼ନ୍ତି ବେଦ-ପୁରାଣ, ଧର୍ମକୁ ନେଇ କହିଲେ ହୃଦୟସ୍ପର୍ଶୀ କଥା

Published By : Prameya-News7 Bureau | December 05, 2020 IST

ଗାନ୍ଧିନଗର ୦୫/୧୨ : ଗୁଜରାଟ ବିଶ୍ୱବିଦ୍ୟାଳୟରେ ଜଣେ ମୁସଲମାନ ଯୁବତୀ ସଂକୃତରେ ପିଏଚଡି କରିଛନ୍ତି। ମୁସଲମାନ ଛାତ୍ରୀ ଜଣକ ହେଲେ ସଲମା କୂରେଶୀ। ସଂସ୍କୃତରେ ପିଏଚଡି କରିଥିବା ନେଇ ସଲମାଙ୍କୁ ପ୍ରଶ୍ନ କରିବାରୁ ସେ ହୃଦୟସ୍ପର୍ଶୀ ଜବାବ ଦେଇଛନ୍ତି। ସଲମା କୂରେଶୀ ସଂସ୍କୃତରେ ଭାରତର ଶିକ୍ଷକ-ଶିଷ୍ୟ ପରମ୍ପରା ବିଷୟରେ ଚର୍ଚ୍ଚା କରିଛନ୍ତି। ସେ ନିଜର ଥେସିସର ଶୀର୍ଷକ ରଖିଛନ୍ତି, 'ପୂର୍ଣ୍ଣନେସୁ ନିରୂପିତା ଶିକ୍ଷା ପଦ୍ଧତି ଏକମ୍ ଅଦ୍ୟାୟାନ'

ସୂଚନାଯୋଗ୍ୟ ଯେ ସଲମା କୂରେଶୀ ଗୁଜରାଟ ବିଶ୍ୱବିଦ୍ୟାଳୟର ସଂସ୍କୃତ ଛାତ୍ରୀ। ସେ ଅତୁଲ ଉନାଗରଙ୍କ ମାର୍ଗଦର୍ଶନରେ ଡକ୍ଟରେଟ ଉପାଧି ପ୍ରାପ୍ତ କରିଛନ୍ତି। ଭାବନଗର ବିଶ୍ୱବିଦ୍ୟାଳୟରେ ଏମଏ କଲାବେଳେ ତାଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯାଇଥିଲା। ସେ ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟରେ ସ୍ନାତକ କରିଛନ୍ତି। ଏହାପରେ ସେ ଭାବନଗର ବିଶ୍ୱବିଦ୍ୟାଳୟରେ ଏମଏ କରିଛନ୍ତି। ୨୦୧୭ ମସିହାରେ ସେ ଗୁଜରାଟ ବିଶ୍ୱବିଦ୍ୟାଳୟରେ ପିଏଚଡି ପାଇଁ ଆଡ଼ମିସନ କରିଥିଲେ। ତିନି ବର୍ଷରେ ସେ ରିସର୍ଚ୍ଚ ପୁରା କରିଛନ୍ତି। ସେ ଅଧ୍ୟୟନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି।

ସଲମା କହିଛନ୍ତି ଯେ ସେ ଶିକ୍ଷକ-ଶିଷ୍ୟ ପରମ୍ପରା ଉପରେ ରିସର୍ଚ୍ଚ କରିଛନ୍ତି। ଏଥିପାଇଁ ସେ ବେଦ, ଉପନିଷଦ ଓ ପୁରାଣ ଅଧ୍ୟୟନ କରିଛନ୍ତି। ସେ କହିଛନ୍ତି ଯେ ସ୍କୁଲ ସମୟରୁ ହିଁ ସଂସ୍କୃତ ପ୍ରତି ତାଙ୍କର ରୁଚି ଥିଲା। ସେଥିପାଇଁ ବେଦ, ପୁରାଣ ପଢିବା ତାଙ୍କୁ ବହୁତ ପସନ୍ଦ ଥିଲା। ସେ କହିଛନ୍ତି ଯେ ସଂସ୍କୃତରେ ପଢିବାକୁ ନେଇ ତାଙ୍କ ପରିବାର କେବେ ତାଙ୍କୁ ମନା କରିନାହାନ୍ତି।

ସଂସ୍କୃତରେ ପିଏଚଡି କରିବା ନେଇ ସଲମାଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ହିନ୍ଦୁ ଧର୍ମ ଗ୍ରନ୍ଥ ସଂସ୍କୃତ ଭାଷାରେ ଅଛି। ସଂସ୍କୃତକୁ ଦେବତାଙ୍କ ଭାଷା ବୋଲି କୁହାଯାଏ। କୌଣସି ଭାଷାର କୌଣସି ଧର୍ମ ସହ କିଛି ଲେନା ଦେନା ନଥାଏ। ଛାତ୍ରଛାତ୍ରୀ ଯେଉଁ ଭାଷା ପଢିବାକୁ ଚାହୁଁଛନ୍ତି ତାଙ୍କୁ ସେଥିପାଇଁ ସେତିକି ସ୍ୱାଧୀନତା ମିଳିବା ଦରକାର। ପ୍ରାଚୀନ କାଳରେ ଶିକ୍ଷକ-ଶିଷ୍ୟ ପରମ୍ପରାରେ ଛାତ୍ରଙ୍କୁ ସମାଜରେ ସମସ୍ତଙ୍କର ସମ୍ମାନ କରିବାକୁ ଶିକ୍ଷା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସେସବୁ ଆଉ ନଜର ଆସୁନାହିଁ ବୋଲି ସେ କହିଛନ୍ତି।

ସଲମା କହିଛନ୍ତି ଯେ ତାଙ୍କ ଅନୁସାରେ ସଂସ୍କୃତ ପଢିବା ଅନିବାର୍ଯ୍ୟ କରିବା ଉଚିତ। ସରକାର ଏ ସମ୍ବନ୍ଧରେ ପ୍ରୟାସ କରିବା ଉଚିତ ଯେପରି ସଂସ୍କୃତ ଭାଷା ସାଧାରଣ ଜନତାଙ୍କ ପାଖକୁ ପହଞ୍ଚି ପାରିବ। ଭବିଷ୍ୟତକୁ ନେଇ ସେ କହିଛନ୍ତି ଯେ ସେ ସଂସ୍କୃତ ଶିକ୍ଷକ ହେବାକୁ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.