ଜାଗୁଆରର ଲକ୍ଷ୍ୟଭ୍ରଷ୍ଟ ହୋଇ ନଥିଲେ ୨୩ ବର୍ଷ ପୂର୍ବରୁ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥାନ୍ତେ ମୁଶର୍ରଫ!
5/02/2023 at 8:41 PM

ନୂଆଦିଲ୍ଲୀ ୫।୨: ପାକିସ୍ତାନର ପୂର୍ବତନ ସାମରିକ ଏକଛତ୍ରବାଦୀ ପରଭେଜ ମୁଶର୍ରଫଙ୍କର ରବିବାର ପରଲୋକ ହୋଇଛି। ତାଙ୍କ ଭାଗ୍ୟରେ ଅତ୍ୟନ୍ତ ବେଦନା ଦାୟକ ମୃତ୍ୟୁ ଲେଖାଥିଲା। ସେ ଏପରି ଏକ ରୋଗରେ ଆକ୍ରାନ୍ତ ଥିଲେ ଯେଉଁଥିରେ ତାଙ୍କ ଶରୀରର ଗୋଟିଏ ପରେ ଗୋଟିଏ ଅଙ୍ଗ କାମ କରିବା ବନ୍ଦ କରିଦେଇଥିବା ବେଳେ ବିଦେଶରେ ତାଙ୍କର ମୃତ୍ୟୁ ହୋଇଛି। ତେବେ୨୩ ବର୍ଷ ପୂର୍ବେ କାର୍ଗିଲ ଯୁଦ୍ଧର ସ୍ରଷ୍ଟା ମୁଶର୍ରଫଙ୍କର ଏହାଠୁ ମଧ୍ୟ ଅଧିକ ଦୁଃଖଦ ମୃତ୍ୟୁ ହୋଇଥାନ୍ତା ଯଦି ଭାରତୀୟ ବାୟୁସେନା ବିମାନ ଜାଗୁଆରର ଲକ୍ଷ ଭ୍ରଷ୍ଟ ହୋଇ ନଥାନ୍ତା। ତାଙ୍କ ସହ ତତ୍କାଳୀନ ପାକ୍ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କର ମଧ୍ୟ ସେହିଠାରେ ମୃତ୍ୟୁ ହୋଇଥାନ୍ତା।
ପାକିସ୍ତାନର ଏହି ଏକଛତ୍ରବାଦୀ କାର୍ଗିଲ ଯୁଦ୍ଧର ସ୍କ୍ରିପ୍ଟ ଲେଖିଥିଲେ। ଆଗ୍ରା ଶିଖର ବାର୍ତ୍ତା ପରେ ପରେ ସେ ଭାରତ ପୀଠିରେ ଛୁରି ଭୂଷିବାକୁ ଷଡ଼ଯନ୍ତ୍ର ରଚିଥିଲେ। ମୁଶର୍ରଫ ଚୋରା ଲୁଚାରେ ଭାରତ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପାଇଁ ଯୋଜନା କରିଥିଲେ। ତେବେ ସେ ଜାଣି ନଥିଲେ ଯେ ସେହି କାର୍ଗିଲରେ ହିଁ ତାଙ୍କର ମୃତ୍ୟୁ ସ୍ୱାକ୍ଷରିତ ହୋଇସାରିଥିଲା। ଯଦି ଭାରତୀୟ ବାୟୁସେନା ଯୁଦ୍ଧବିମାନର ଟାର୍ଗେଟ୍ ଭ୍ରଷ୍ଟ ନ ହୋଇଥାନ୍ତା ସେହିଠାରେ ହିଁ ତାଙ୍କର ଦୁଃଖଦ ଅନ୍ତ ହୋଇଥାନ୍ତା।

୧୯୯୯ ମସିହାରେ କାର୍ଗିଲ ଯୁଦ୍ଧ ଚରମ ସୀମାରେ ଥିବା ବେଳେ ଭାରତୀୟ ବାୟୁସେନା ସୂତ୍ରରୁ ଏକ ଇଂରାଜୀ ଦୈନିକ ଖବର କାଗଜ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟ ଅନୁସାରେ ୨୪ ଜୁନ ୧୯୯୯ରେ ଭାରତୀୟ ବାୟୁସେନାର ଫାଇଟର ଜେଟ୍ ଜାଗୁଆର ଏଲଓସି ଉପରେ ଉଡାଣ କରୁଥିଲା। ଏହି ଫାଇଟର ଜେଟ୍ ତାର ଲେଜର ଗାଇଡେଡ ସିଷ୍ଟମରୁ ପାକ୍ ସେନାର ଠିକଣା ଉପରେ ଟାର୍ଗେଟ୍ ସେଟ୍ କରିଥିବାର ଥିଲା। ଏହି ବିମାନ ପଛରେ ଯାଉଥିବା ଦ୍ୱିତୀୟ ଜାଗୁଆର ବିମାନ ସେହି ଟାର୍ଗେଟ୍ ବକେଟ୍ ଉପରେ ବୋମା ନିକ୍ଷେପ କରିବାର ଥିଲା। ତେବେ ଲେଜର ଗାଇଡେଡ ସିଷ୍ଟମ ବକେଟ୍ ଦ୍ୱାରା ସ୍ଥିରିକୃତ ଟାର୍ଗେଟରୁ କିଛି ଦୂରରେ ମାଡ ହୋଇଥିଲା ବୋମା। ଫଳରେ ସେତେବେଳେ ସେଠାରେ ଥିବା ପାକ୍ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟ ଏହିଟାର୍ଗେଟର ଶିକାର ହୋଇଥାନ୍ତେ।
ଏଲଓସି ପାଖାପାଖି ଗୁଲଟେରୀରେ ଥିବା ପାକ୍ ସେନା ଆଡ୍ଡାରେ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟ ଥିଲେ। ଗୁଲଟେରୀ ଲେଜରଗାଇଡେଡ ସିଷ୍ଟମରେ ଟାର୍ଗେଟ୍ ହୋଇଥିଲା। ତେବେ ଟାର୍ଗେଟ୍ ବକେଟ୍ ଠାରୁ ଦୂରରେ ମାଡ ହୋଇଥିଲା ବୋମା। ପାକ୍ ସେନା ଘଟଣାକୁ ସ୍ୱୀକାର କରିଥିଲା। ତେବେ ପରେ ଭାରତୀୟ ବାୟୁସେନା ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଥିଲା। ପାକିସ୍ତାନ ମିଡିଆ ୨୫ ଜୁନ ୧୯୯୯ରେ ଖବର ପ୍ରକାଶିତ କରିଥିଲା। ସେତେବେଳେ ସେଠାରେ ନୱାଜ ସରିଫ ମଧ୍ୟ ଥିଲେ ଓ ସେନାକୁ ସମ୍ବୋଧିତ କରି ତୁରନ୍ତ ଭାରତ ସହ ଆଲୋଚନା କରି ଉପୁଜିଥିବା ଯୁଦ୍ଧଭଳି ପରିସ୍ଥିତିକୁ ଅଟକାଇବେ ବୋଲି କହିଥିଲେ।

କେବଳ କାର୍ଗିଲ ନୁହେଁ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ଓ ୧୯୭୧ରେ ମଧ୍ୟ ଯୁଦ୍ଧ ହୋଇଥିଲା। ଉଭୟ ଯୁଦ୍ଧରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ହୋଇଥିଲା। ଏହି ଦୁଇ ଯୁଦ୍ଧରେ ପରଭେଜ ମୁଶର୍ରଫ ମଧ୍ୟ ଲଢିଥିଲେ। ତେବେ ପରାଜୟ ଗ୍ଲାନି ଯୋଗୁ ତାଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା। ଯେଉଁଥି ପାଇଁ ୧୯୯୯ ମସିହାରେ ସେ କାର୍ଗିଲ ଯୁଦ୍ଧର ସୂତ୍ରପାତ କରିଥିଲେ।