ନଦୀକୂଳରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା କରି ଫିଙ୍ଗାଯାଇଛି !
25/08/2020 at 2:46 PM

ସାଲେପୁର ୨୫।୦୮: ନଦୀ ବନ୍ଧ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । କଟକ ଜିଲ୍ଲା ନେମାଳ ଥାନା ଶାନ୍ତପୁର ପଞ୍ଚାୟତ ଜଳଦିଆ ଗାଁ ଚିତ୍ରୋତ୍ପଳା ନଦୀ ବନ୍ଧରୁ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଆଜି ଚିତ୍ରୋତ୍ପଳା ନଦୀକୂଳରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । କେମିତି ଓ କିପରି ମୃତଦେହ ଏଠାକୁ ଆସିଲା । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ମୃତଦେହ ଏଠାକୁ କିପରି ଆସିଲା , ତାହାକୁ ନେଇ ସ୍ଥାନୀୟବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ନେମାଳ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି ।
ତେବେ ମିଳିଥିବା ସୂଚନାସୁାରେ, କିଛି ଦିନ ତଳେ କିଶନ ନଗର ଥାନା ଅଧିନ ମହାନଦୀ ବନ୍ଧ ସୋଗଲ ଗ୍ରାମ ନିକଟରେ ମଧ୍ୟ ଏକ ମୃତ ଦେହ ପଡ଼ିଥିଲା । ଯାହାକି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଥିଲା । ସେହିପରି ଆଜି ନେମାଳ ଥାନା ଚିତ୍ରୋତ୍ପଳା ନଦୀ ବନ୍ଧ ନିକଟରେ ମୃତ ଦେହ ପଡ଼ିଛି । ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଏମିତି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ତେବେ ପୋଲିସ ପ୍ରଶାସନର ଦକ୍ଷତା ନେଇ ସ୍ଥାନୀୟବାସୀ ପ୍ରଶ୍ନ ଉଠାଇଛନ୍ତି । ଆଗାମୀ ଦିନରେ ପୋଲିସ କଣ ପଦକ୍ଷେପ ନେଉଛି। ତାହା ଦେଖିବାକୁ ରହିଲା ।