ରେସଲର ସୁଶୀଲ କୁମାରଙ୍କୁ ଝଟକା: ଜାମିନ ଆବେଦନ ଖାରଜ, ପୋଲିସ ହାତରୁ ଖସିବାର ସବୁ ଦ୍ଵାର ବନ୍ଦ

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮।୦୫: ହତ୍ୟା ଅଭିଯୋଗରେ ଫେରାର ଅଲିମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା(ରେସଲର) ସୁଶୀଲ କୁମାରଙ୍କ ପୋଲିସ ହାତରୁ ଖସିବାର ସମସ୍ତ ଦ୍ଵାର ବନ୍ଦ ହୋଇ ଯାଇଛି। ଦିଲ୍ଲୀର ରୋହିଣୀ କୋର୍ଟ ମଙ୍ଗଳବାର ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଗୋଟିଏ ଦିନ ପୂର୍ବେ ଦିଲ୍ଲୀ ପୋଲିସ ରେସଲରଙ୍କ ଉପରେ ଏକ ଲକ୍ଷ ଓ  ସହଯୋଗୀ ଅଜୟଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏହା ପରେ ଆଗୁଆ ଜାମିନ ପାଇଁ ସୁଶିଲ କୋର୍ଟରେ ଆବେଦନ କରିଥିଲେ।

କଣ କହିଲେ କୋର୍ଟ

ରୋହିଣୀ କୋର୍ଟରେ ଶୁଣାଣି ସମୟରେ ସୁଶୀଲ କୁମାରଙ୍କ ପକ୍ଷରୁ ହାଜର ଓକିଲ କହିଥିଲେ, ଏହି ମାମଲାରେ ତାଙ୍କର କୌଣସି ସଂପର୍କ ନାହିଁ। ବରିଷ୍ଠ ଆଡଭୋକେଟ୍ ସିଦ୍ଧାର୍ଥ ଲୁଥରା ଓ ବୃଦ୍ଧ ଓକିଲ ଆରଏଏସ ଜାଖଡ ସୁଶିଲ କୁମାରଙ୍କ ପକ୍ଷରୁ କୋର୍ଟରେ ଦଲିଲ ଦେଇଥିଲେ। ଦଲିଲରେ ସୁଶୀଲ ଉଲ୍ଲେଖ କରିଥିଲେ ଯେ, ମୁଁ ଜଣେ ଅନ୍ତର୍ଜାତୀୟସ୍ତରର ଖେଳାଳି। ପଦ୍ମଶ୍ରୀ ସମେତ ଦେଶର ସମସ୍ତ ପ୍ରତିଷ୍ଠିତ ପଦକ ଓ ସମ୍ମାନରେ ସମ୍ମାନିତ  ହୋଇଛି। ଅଲିମ୍ପିକରେ ଦୁଇ ଥର ପଦକ ଜିତିଛି। ମୋତେ ଛତ୍ରପାଲ ଷ୍ଟାଡିୟମର ମୋର ଅଧିକାରୀଙ୍କ କର୍ତ୍ତବ୍ୟ ସଂପାଦନ ପାଇଁ ବାସଭବନ ମିଳିଛି। ଏଠାରେ ମୁଁ ନିଜ ପରିବାର ସହ ମଧ୍ୟ ରହୁଛି। ହେଲେ କୋର୍ଟ ରେସଲରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ହତ୍ୟା,ଅପହରଣ ଓ ଅପରାଧିକ ଷଡଯନ୍ତ୍ର ରଚିବା କେସ୍ ରୁଜୁ କରିଛି। ମେ ୫ରେ ସାଗର ରାଣାଙ୍କ ହତ୍ୟା ପରଠୁ ସୁଶିଲ କୁମାର ଫେରାର ଅଛନ୍ତି। ଦିଲ୍ଲୀର ରୋହିଣୀ କୋର୍ଟ ମଙ୍ଗଳବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ।

କଣ ଏହି ମାମଲା

ସୁଶୀଲ କୁମାର ମେ ୫ରେ ଯୁବ ରେସଲର ସାଗର ରାଣା ହତ୍ୟାକାଣ୍ଡରେ ସାମିଲ ଥିବାର ଅଭିଯୋଗ ହୋଇଛି। ମୋଡେଲ୍ ଟାଉନ ଥାନା ଅଞ୍ଚଳରେ ସ୍ଥିତ ଛତ୍ରପାଲ ଷ୍ଟାଡିୟମରେ ଫ୍ଲାଟ ଖାଲି କରାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ପାଞ୍ଚ ରେସଲର ଗୁରୁତର ଭାବେ ଆହତ  ହୋଇଥିଲେ। ତେବେ ଗୁରୁତର ଆହତ ସାଗରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.