ମୁରାଦାବାଦରେ ଓୱେସୀଙ୍କ ଅପମାନ: ହୋଟେଲରେ ରୁମ୍ ଦେବାକୁ ମନାକଲା ମ୍ୟାନେଜମେଣ୍ଟ

Published By : Prameya-News7 Bureau | January 04, 2022 IST

ମୁରାଦାବାଦ ୦୪/୦୧ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ନିଜ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଅଲ ଇଣ୍ଡିଆ ମଜଲିସ ଏ ଇତ୍ତେହାଦୁଲର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କୁ ମୁରାଦାବାଦରେ ଅସୁବିଧା ସାମ୍ନା କରିବାକୁ ପଡିଛି। ଓୱେସୀ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧନ କରିବାକୁ ଏଠାକୁ ଆସିଥିଲେ। କିନ୍ତୁ ତାଙ୍କୁ ମଝୋଲା ଥାନା ସ୍ଥିତ ଡ୍ରାଇଭ ଇନ ୨୪ ହୋଟେଲରେ ରୁମ ମିଳିଲା ନାହିଁ।

ସୂଚନା ଅନୁଯାୟୀ, ହୋଟେଲ ମ୍ୟାନେଜମେଣ୍ଟ ଓୱେସୀଙ୍କୁ ରୁମ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ AIMIM ପ୍ରଦେଶ ଅଧ୍ୟକ୍ଷ କ୍ରୋଧ ପ୍ରକାଶ କରିଛନ୍ତି। ଏହାସହ ସେ ଆରୋପ ଲଗାଇଛନ୍ତି ଯେ ହୋଟେଲ ମ୍ୟାନେଜମେଣ୍ଟ କହିଛି ଯେ ପୋଲିସ ଓୱେସୀଙ୍କୁ ରୁମ ଦେବାକୁ ମନା କରିଛି। ସେ କହିଛନ୍ତି ଯେ ହୋଟେଲ ମ୍ୟାନେଜମେଣ୍ଟ ତାଙ୍କୁ କହିଥିଲା ଯେ ଅନ୍ୟ ବ୍ୟକ୍ତି ପାଇଁ ରୁମ ଉପଲବ୍ଧ ଅଛି କିନ୍ତୁ ଓୱେସୀଙ୍କୁ ରୁମ ଦେଇପାରିବେ ନାହିଁ।

ଏହା ପୂର୍ବରୁ ଓୱେସୀ ଗୁଜୁରାଟର ସବରାମତି ଜେଲରେ ବନ୍ଦୀ ଥିବା ବାହୁବଳୀ ଅତିକ ଅହମଦଙ୍କ ପୁଅ ଅଲି ଅହମଦଙ୍କ ସହ ପ୍ରସ୍ତାବିତ ଜନସଭାକୁ ସ୍ଥଗିତ କରିଦେଇଥିଲେ। ଏହି ଜନସଭା ଜାନୁଆରୀ ୯ରେ ପ୍ରୟାଗରାଜରେ ହେବାରଥିଲା। କିନ୍ତୁ ଇତି ମଧ୍ୟରେ ଅଲି ଅହମଦ ବିରୋଧରେ ଗମ୍ଭୀର ଧାରାରେ ଏଫଆଇଆର ରୁଜ୍ଜୁ ହୋଇଛି ଯେଉଁଥିପାଇଁ ଓୱେସୀ ଜନସଭା ସ୍ଥଗିତ କରିବାକୁ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.