ଆସିଲେନି ପୌରାଧ୍ୟକ୍ଷା; ଦେବଗଡ଼ ପୌର ପରିଷଦର ଜରୁରୀ ବୈଠକ ଡକାଇଲେ ବିରୋଧି କାଉନସିଲର
26/12/2022 at 5:06 PM

ଦେବଗଡ଼: ସୋମବାର ଦେବଗଡ ପୌର ପରିଷଦର କାଉନସିଲର ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଓ ଅନ୍ୟ ଛଅ ଜଣ କାଉନସିଲରଙ୍କ ଆହ୍ବାନ କ୍ରମେ ଓଡିଶା ମ୍ୟୁନିସିପାଲଟି ଆକ୍ଟ-୧୯୫୦, ଧାରା -୨ଅନୁଯାୟୀ ଏହି ବୈଠକ ଆହ୍ବାନ କରାଯାଇଥିଲା।
ଓଡିଶା ମ୍ୟୁନିସିପାଲଟି ଆକ୍ଟ-୧୯୫୦ , ଧାରା -୬୨ (୨) ଅନୁଯାୟୀ ଏକ ରିକ୍ୟୁଜିସନ ବୈଠକ ଡାକିବା ପାଇଁ ପୌର ପରିଷଦ ଉପାଧ୍ୟକ୍ଷ ଓ ଅନ୍ୟ ଛଅ ଜଣ କାଉନସିଲର ଗତ ଡିସେମ୍ବର ମାସ ପାଞ୍ଚ ତାରିଖରେ ପୌର ଅଧ୍ୟକ୍ଷା ଙ୍କୁ ଅନୁରୋଧ କରିଥିଲେ। ମାତ୍ର ପୌର ଅଧ୍ୟକ୍ଷା ବୈଠକ ଆହ୍ବାନ ନ କରିବାରୁ, ଉପାଧ୍ୟକ୍ଷ ଓ ସଂଖ୍ୟା ଗରିଷ୍ଠ କାଉନସିଲର ମାନେ ନିଜେ ଆଇନ ଅନୁଯାୟୀ ବୈଠକ ଡକାଇଥିଲେ ।
ପୌର ପରିଷଦ କାଉନସିଲ ହଲରେ ଆୟୋଜିତ ଏହି ବୈଠକରେ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ପାଞ୍ଚ ଜଣ ବିଜେପି କାଉନସିଲର ଓ ଏକମାତ୍ର ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା ଉପସ୍ଥିତ ଥିବାବେଳେ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ ଅନ୍ୟ ଚାରିଜଣ ବିଜେଡି କାଉନସିଲର ଅନୁପସ୍ଥିତ ଥିଲେ। ଏହି ବୈଠକରେ ପୌର ପରିଷଦ ଆଇନ ଅନୁଯାୟୀ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଆଲୋଚନା କରାଯିବା ସହ ପ୍ରସ୍ତାବ ପାସ କରାଯାଇଥିବା ସୂଚନା ମିଳିଛି। । ଦେବଗଡ ପୌର ପରିଷ ରେ ପ୍ରଥମ ଥର ପାଇଁ ବିରୋଧୀ ଗୋଷ୍ଠୀ ପକ୍ଷରୁ ଏଭଳି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହା ଚର୍ଚ୍ଚାର ବିଷୟବସ୍ତୁ ହୋଇଛି ।