ଦେଶର ଅଦ୍ଭୁତ ମନ୍ଦିର; ବଳି ଦେବା ପରେ ବି ମରେନି ପଶୁ, ରହସ୍ୟର ପତ୍ତା ଲଗାଇପାରିନି ବିଜ୍ଞାନ

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ ୧୪।୦୬: ଦେଶର କୋଣ ଅନୁକୋଣରେ ରହିଛି ଲକ୍ଷ ଲକ୍ଷ ମନ୍ଦିର । ସେଥିମଧ୍ୟରୁ ଅନେକ ରହସ୍ୟମୟ । କିନ୍ତୁ ଏପରି ଏକ ମନ୍ଦିର ରହିଛି ଯେଉଁଠି ପଶୁକୁ ବଳି ଦେବା ପରେ ମଧ୍ୟ ସେମାନେ ମରନ୍ତିନି ବରଂ ପୁନଃଜୀବିତ ହୋଇ ଫେରିଆସନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ । 

ମନ୍ଦିରଟି ବିହାରର କୌମୁର ଜିଲ୍ଲା କୈରା ଅଞ୍ଚଳରେ ଅବସ୍ଥିତ । ଏହା ମୁଣ୍ଡେଶ୍ବରୀ ଦେବୀ ମନ୍ଦିର ନାଁରେ ଜଣାଶୁଣା। ଭଗବାନ ଶିବ ଏବଂ ଦେବୀ ଶକ୍ତି ଏଠାରେ ପୂଜା ପାଆନ୍ତି । ୬୦୦ ଫୁଟରୁ ଅଧିକ ଉଚ୍ଚରେ ତିଆରି ଏହି ମନ୍ଦିରଟି ୧୦୮ ଖ୍ରୀଷ୍ଟାଦ୍ଦରେ ନିର୍ମିତ । ମନ୍ଦିରଟି ଶାକ ଶାସନ କାଳରେ ତିଆରି ହୋଇଥିଲା । 

ଦେଶର ଅନ୍ୟ ମନ୍ଦିର ପରି ଯୁଗ ଯୁଗ ଧରି ଏହି ମନ୍ଦିରରେ ମଧ୍ୟ ବଳି ପରମ୍ପରା ଚାଲିଆସୁଛି । କିନ୍ତୁ ମୁଣ୍ଡେଶ୍ବରୀ ଦେବୀ ମନ୍ଦିରରେ ବଳି ଦେବାର ପରମ୍ପରା ସବୁଠାରୁ ଭିନ୍ନ । ଏଠାରେ ରହିଛି ମାଙ୍କ ବିଶେଷତ୍ବ । ମନ୍ଦିରରେ ଛେଳିଙ୍କୁ ବଳି ଦିଆଯାଏ । କିନ୍ତୁ ତାଙ୍କ ଜୀବନ ଯାଏନାହିଁ । ବାସ୍ତବରେ ସର୍ବପ୍ରଥମେ ବଳି ଦେବା ପାଇଁ ଛେଳିକୁ ଦେବୀଙ୍କ ମୂର୍ତ୍ତି ସମ୍ମୁଖକୁ ଅଣାଯାଏ । 

ଛେଳିକୁ ସେଠାରେ ଶୁଆଇ ପୁରୋହିତ କିଛି ମନ୍ତ୍ର ଜପ କରି ଛେଳି ଉପରେ ଚାଉଳ ଫିଙ୍ଗିଥାନ୍ତି । ଏହି ଚାଉଳ ଦେବୀଙ୍କ ମୂର୍ତ୍ତିରେ ଛୁଆଁଇବା ପରେ ହିଁ ଛେଳିଙ୍କ ଉପରେ ପକାଯାଏ । ଚାଉଳ ଫୋପାଡିବା ପରେ ଛେଳିଟି ଆଦୌ ହଲଚଲ ହୋଇପାରେ ନାହିଁ । ଠିକ୍‌ ଯେମିତି ଛେଳିଟିର ଜୀବନ ଚାଲିଯାଇଛି । ଏପରି ହେବା ପରେ ପୁନଶ୍ଚ ଛେଳି ଉପରକୁ ଆଉ ଥରେ ଚାଉଳକୁ ଫୋପଡା ଯାଏ । ଚାଉଳ ଛେଳି ଉପରେ ପଡିବା ମାତ୍ରେ ଲୋକମାନେ ଜୟ ମାତା ଦି ,ଜୟ ମାତା ଦି କହିବା ଆରମ୍ଭ କରନ୍ତି । ଲୋକମାନେ ମାତାଙ୍କ ନାମ ଜପ କରିବା ମାତ୍ରେ ହିଁ ଛେଳି ଉଠି ବସିଥାଏ ।

ଧାର୍ମିକ ବିଶ୍ବାସ ଅନୁଯାୟୀ , ଏହି ଅଞ୍ଚଳରେ ଚଣ୍ଡ-ମୁଣ୍ଡ ନାମକ ଦୁଇଜଣ ରାକ୍ଷାସ ରହୁଥିଲେ । ସେମାନଙ୍କ ବିନାଶ କରିବାକୁ ମାତା ଏଠାରେ ପ୍ରକଟ ହୋଇଥିଲେ । ଯେତେବେଳେ ଦେବୀ ଚଣ୍ଡକୁ ବଧ କଲେ ସେତେବେଳେ ମୁଣ୍ଡ ଏକ ପାହାଡରେ ଯାଇ ଲୁଚିଗଲା । ପରେ ଦେବୀ ତାକୁ ମଧ୍ୟ ଖୋଜି ବଧ କରିଥିଲେ । 

ମନ୍ଦିରରେ କେବଳ ଏତିକି ଚମତ୍କାର ହୁଏ ନାହିଁ, ମୁଣ୍ଡେଶ୍ବରୀ ମନ୍ଦିରରେ ଏକ ପ୍ରାଚୀନ ପଞ୍ଚମୁଖୀ ଶିବଲିଙ୍ଗଙ୍କ ପ୍ରତିମା ରହିଛି । ଯାହା ଦିନକୁ ତିନିଥର ରଙ୍ଗ ବଦଳାଇଥାଏ । ଲୋକମାନେ କୁହନ୍ତି ଯେ, ଦେଖୁ ଦେଖୁ ଶିବଲିଙ୍ଗ ରଙ୍ଗ ବଦଳାଇଥାଏ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରହସ୍ୟର କେହି ବି ସନ୍ଧାନ ଲଗାଇ ପାରିନାହାନ୍ତି । ଏବେବି ଏଠାକାର ଘଟଣା ରହସ୍ୟ ଘେରରେ ରହି ଆସିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.