ଗାଡ଼ି ଚାଳକଙ୍କୁ ଲୁଟୁଛନ୍ତି ମୁଣ୍ଡଳୀ ଟୋଲଗେଟ୍ କର୍ମଚାରୀ
28/02/2020 at 5:34 PM

କଟକ ୨୮/୨: ଗାଡ଼ି ଚାଳକଙ୍କୁ ଲୁଟୁଛନ୍ତି କଟକ ମୁଣ୍ଡଳୀ ଟୋଲଗେଟ୍ କର୍ମଚାରୀ । ଗୋଟିଏ ଗୋଟିଏ ଗାଡ଼ିରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଟୋଲ୍ ଫି ଆଦାୟ ହେଉଛି । ବିଳମ୍ବିତ ରାତିରେ ଗାଡ଼ି ଚାଳକଙ୍କ ଉପରେ ଜୁଲମ କରୁଛନ୍ତି ଟୋଲଗେଟ୍ କର୍ମଚାରୀ । ପ୍ରକୃତରେ ଏହି ଟୋଲ ଗେଟ୍ଟି ସରକାରଙ୍କ ଅଧୀନରେ ରହିଛି ନା’ କୌଣସି ବେସରକାରୀ ସଂସ୍ଥା ଏଠାରେ ମନମାନୀ ଚଳାଇଛି ସେ ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ ।

କଟକ ମୁଣ୍ଡଳୀ ଟୋଲଗେଟ୍ ଏବେ କାହା କବ୍ଜାରେ ? ଏଠି କେଉଁମାନେ ଆଦାୟ କରୁଛନ୍ତି ଟୋଲ୍ ଫି ? ସେମାନେ ସରକାରୀ କର୍ମଚାରୀ ନା’ କୌଣସି ବେସରକାରୀ ସଂସ୍ଥାର ଗୁଣ୍ଡା ? ମୁଣ୍ଡଳୀ ଚେକ୍ଗେଟ୍ରେ ଟୋଲ୍ ଆଦାୟ ନାଁରେ ଚାଲିଥିବା ଜୁଲମ୍ ଅଭିଯୋଗ ପରେ ଏଭଳି କିଛି ପ୍ରଶ୍ନର ଉତ୍ତର ଜାଣିବା ଜରୁରୀ ହୋଇପଡ଼ିଛି । ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ଟୋଲଗେଟ୍ ବନ୍ଦ ହୋଇ ସାରିଥିଲେ ମଧ୍ୟ ୯୦ଦଶକରୁ ଆଜି ପର୍ଯ୍ୟନ୍ତ ମୁଣ୍ଡଳୀ ଟୋଲ୍ ଗେଟ୍ରେ କାହା ସ୍ବାର୍ଥରେ ଟୋଲ୍ ଆଦାୟ ହେଉଛି ତା’ର ଉତ୍ତର କାହା ପାଖରେ ନାହିଁ ।

ମୁଣ୍ଡଳୀ ଟୋଲ୍ ଗେଟ୍ରେ ଯେଉଁମାନେ ଟଙ୍କା ଆଦାୟ କରୁଛନ୍ତି ସେମାନଙ୍କ କହିବା କଥା ସେମାନେ କୁଆଡ଼େ ପ୍ରଶାସନ ସହ ଭାଗୁଆଳିରେ ଅଛନ୍ତି । ଭୁବନେଶ୍ବର, କଟକ, ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାକୁ ଯୋଡ଼ୁଥିବା ଏହି ମୁଣ୍ଡଳୀ ରାସ୍ତାରେ ରାତି ଅଧରେ ଗାଡ଼ି ଚାଳକଙ୍କୁ ଡରାଇ ଧମକାଇ ମନଇଚ୍ଛା ଟଙ୍କା ଆଦାୟ ଚାଲିଛି । ନିର୍ଦ୍ଧିଷ୍ଟ ଭାବେ ଟୋଲ୍ ଫି ଲେଖାନଥିବା ରସିଦରେ ଟୁରିଷ୍ଟ ବସ୍ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଟୋଲ୍ ଫି ଆଦାୟ କରୁଛନ୍ତି ମୁଣ୍ଡଳୀ ଟୋଲଗେଟ୍ କର୍ମଚାରୀ ।

ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା’ ଜିଲ୍ଲା ପ୍ରଶାସନ ନା’ ପୋଲିସ ପ୍ରଶାସନ କେହି ବି ଏଥି ପ୍ରତି ଗୁରୁତ୍ବ ଦେଉନଥିବାରୁ ସାଧାରଣରେ ସଂଦେହ ସୃଷ୍ଟି ହୋଇଛି । ଏମିତିରେ ମୁଣ୍ଡଳୀ ଚେକ୍ଗେଟରୁ ଆଦାୟ ଟଙ୍କା ସରକାରୀ ତହବିଲକୁ ଯାଉଛି ନା’ ଏହାକୁ କିଛି ମୁଷ୍ଟିମେୟ ମିଳିମିଶି ଚଳୁ କରୁଛନ୍ତି ତା’କୁ ନେଇ ଉଠିଛି ପ୍ରଶ୍ନ ।
