ଦୁଇ ଦୁଇ ଥର ହୋଇଥିଲେ ଫେଲ୍‌, ତୃତୀୟ ଚାନ୍ସରେ ନିଟ୍‌ ୟୁଜି ଟପ୍ପର

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ: ନାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସୀ (NTA) ମଙ୍ଗଳବାର ନିଟ୍‌ ୟୁଜି ୨୦୨୪ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ଥର ୨୩,୩୩,୨୯୭ ଆଶାୟୀ ପରୀକ୍ଷା ଦେଇଥିଲେ। ହେଲେ ରୋଚକ କଥା ହେଉଛି ଚଳିତ ଥର ଟପ୍ପର ଅର୍ଥାତ୍‌ ରାଙ୍କ୍‌ ୧ରେ ରହିଛନ୍ତି ୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଯେଉଁମାନେ ୯୯ ପ୍ରତିଶତ ମାର୍କ ରଖିଛନ୍ତି।

ଏହି ଟପ୍ପରଙ୍କ ମଧ୍ୟରେ ରହିଛନ୍ତି ମହାରାଷ୍ଟ୍ରର ୨୦ ବର୍ଷୀୟା ଛାତ୍ରୀ ଅମୀନା କାଡିଓ୍ବାଲ। ଅମୀନାଙ୍କ ପାଇଁ ନିଟ୍‌ ୟୁଜିରେ ଟପ୍ପର ହେବା କୌଣସି ସ୍ବପ୍ନ ସତ ହେବା ଭଳି। କାରଣ ସେ ପୂର୍ବରୁ ଦୁଇ ଦୁଇ ଥର ନିଟ୍‌ ୟୁଜି ପରୀକ୍ଷାରେ ଫେଲ୍‌ ହୋଇଥିଲେ। ଆଉ ଏହା ଥିଲା ତାଙ୍କର ତୃତୀୟ ତଥା ଅନ୍ତିମ ଥର ପ୍ରଚେଷ୍ଟା।ଏମିତିରେ ଯଦି ଏଥର ଫେଲ୍‌ ହେଉଛନ୍ତି ତେବେ, ଗ୍ରାଜୁଏସନ କରିବା ତାଙ୍କ ପାଇଁ ଏକମାତ୍ରା ରାସ୍ତା ଥିଲା ବୋଲି ସେ କୁହନ୍ତି। ଆହୁରି ମଧ୍ୟ ରୋଚକ କଥା ହେଉଛି ସେ ନିଜ ପରିବାରରେ ପ୍ରଥମ, ଯିଏକି ଡାକ୍ତର ହେବାକୁ ଯାଉଛନ୍ତି। ସେ ଦିଲ୍ଲୀ ଏମ୍ସରେ ଏମବିବିଏସ କରିବା ପାଇଁ ଇଚ୍ଛୁକ ଥିବା କହିଛନ୍ତି।

ଅମୀନା କହିଛନ୍ତି ସେ ଦ୍ବାଦଶ ପାସ୍‌ ପରେ ନିଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ନିଟ୍‌ ୟୁଜି ପାଇଁ ତାଙ୍କୁ ତାଙ୍କ ସ୍କୁଲ ପ୍ରିନ୍ସିପାଲ୍‌ ଉତ୍ସାହିତ କରିଥିଲେ। କିନ୍ତୁ ପରୀକ୍ଷାରେ ସେ ଦୁଇ ଦୁଇ ଥର ଫେଲ୍‌ ହେବାକୁ ପଡ଼ିଥିଲେ। ଏହା ପରେ ସେ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ବିରତି ନେଇଥିଲେ। କାରଣ ସେ ନିଟ୍‌ ୟୁଜି ପରୀକ୍ଷା ଦେବାକୁ ନେଇ ଦ୍ବନ୍ଦ୍ବରେ ଥିଲେ। ଆଉ ପୁଣି ଯଦି ଏଥରେ ଅସଫଳ ହେଉଛନ୍ତି ତେବେ ଗ୍ରାଜୁଏସନରେ ଆଡମିଶନ ଥିଲା ତାଙ୍କ ପାଇଁ ଏକମାତ୍ର ବିକଳ୍ପ। ତେବେ ଖାଲି ତାଙ୍କ ପ୍ରିନ୍ସିପାଲ ନୁହେଁ ତାଙ୍କ ପରିବାର ମଧ୍ୟ ଏହି ଯାତ୍ରାରେ ସାଥ୍ ଦେଇଥିଲେ।ସେ ଆହୁରି କହିଛନ୍ତି ୨୦୨୧ରେ ଲକ୍‌ଡାଉନ ଥିବା ସମୟରେ ବିରତି ନେଇଥିଲେ।

ସେହିଭଳି ନିଜର ପ୍ରସ୍ତୁତିକୁ ନେଇ ସେ କହିଛନ୍ତି, ‘ସକାଳୁ ପାଠପଢ଼ା ଆରମ୍ଭ ହୁଏ। ଏହାପରେ କୋଚିଂ କ୍ଲାସ୍‌ ଇତ୍ୟାଦି ସରିବା ବେଳକୁ ସନ୍ଧ୍ୟା ୬ଟା ହୋଇଯାଏ। ଏହା ପରେ ବି ୪-୫ ଘଣ୍ଟା ଅଧିକ ପଢ଼ିଥାଏ।’ ସେ ଆହୁରି କହିଛନ୍ତି କୋଚିଂ ମ୍ୟାଟେରିଆଲ ଏବଂ ମକ୍‌ ଟେଷ୍ଟକୁ ଗୁରୁତ୍ବ ଦେଉଥି‌ଲେ। ନୋଟ୍‌ସ ଏବଂ ଏନସିଇଆରଟି ପୁସ୍ତକକୁ ଫଲୋ କରୁଥିଲେ।

ଲକ୍‌ ଡାଉନ୍‌ ଫଳରେ ତାଙ୍କୁ ଅତ୍ୟଧିକ ଚାପ ମଧ୍ୟ ନଥିଲା। ଫଳରେ ସେ ନିଟ୍‌ ପାଇଁ ଭଲ ଭାବରେ ପ୍ରସ୍ତୁତି କରିପାରିଥିଲେ। ପ୍ରତି ବିଷୟ ସମାପ୍ତ ହେବା ପରେ, ଉକ୍ତ ବିଷୟକୁ ୪-୫ ଦିନ ଯାଏଁ ବାରମ୍ବାର ଅଭ୍ୟାସ କରୁଥିଲେ।ଯାହା ନିଟ୍‌ ୟୁଜିରେ ବିଜୟ ଆଣିଦେଇଥିଲା ବୋଲି କହିଛନ୍ତି ଅମୀନା ।   

ସୂଚନାଯୋଗ୍ୟ, ମଙ୍ଗଳବାର ଏନଟିଏ ୨୦୨୪ ନିଟ୍ ୟୁଜି ପରୀକ୍ଷାର ଫଳାଫଳ ଘୋଷଣା କରିଛି। ୨୦୨୪ ମେ ୫ ତାରିଖରେ ହୋଇଥିଲା ପରୀକ୍ଷା। ପରୀକ୍ଷା ୧୩ଟି ଭାଷାରେ, ୫୭୧ ସହରର ୪୭୫୦ କେନ୍ଦ୍ରରେ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.