୨୭ବର୍ଷ ପରେ ଗିରଫ, ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣର ଅଭିଯୁକ୍ତ ମୁନାଫକୁ ଧରିଲା ଗୁଜୁରାଟ ଏଟିଏସ୍

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୨: ମୁମ୍ବାଇ ସିରିଜ ବିସ୍ଫୋରଣର ଫେରାର ଅଭିଯୁକ୍ତ ମୁନାଫ ହଲାରୀ ଅବଦୁଲ ମଜିଦ ଓରଫ ମୂଷାକୁ ଗିରଫ କରିଛି ଗୁଜୁରାଟ ଏଟିଏସ । ଗତ ୨୭ ବର୍ଷ ହେବ ଫେରାର ଥିବା ମୁନାଫ ଏଟିଏସର ଓ୍ବାଣ୍ଟେଡ ଲିଷ୍ଟରେ ଥିଲା । ମୁନାଫ ମୁମ୍ବାଇ ଦେଇ ଟ୍ରାଞ୍ଜିଟ୍ ବିମାନରେ ଦୁବାଇ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ଏଟିଏସ ତାକୁ ଗିରଫ କରିଛି । ପୂର୍ବରୁ ସୂଚନା ପାଇ ଗୁଜୁରାଟ ଏଟିଏସ ତାକୁ ଧରିବା ପାଇଁ ଜାଲ ବିଛାଇଥିଲା । ଏଟିଏସକୁ ଏଥିରେ ସଫଳତା ମଧ୍ୟ ମିଳିଛି । ଶେଷରେ ମୁନାଫ ଗିରଫ ହୋଇଛି ।

ଗୁଜୁରାଟ ଏଟିଏସ ପୋଲିସ ଡିଏସପି କେ.କେ. ପଟେଲଙ୍କ ସୂଚନା ଅନୁସାରେ ମୁନାଫ ନିକଟରୁ ପାକିସ୍ତାନୀ ପାସପୋର୍ଟ ମଧ୍ୟ ଜବତ ହୋଇଛି । ଏହି ପାସପୋର୍ଟଟି ମୁନାଫ ନାଁରେ କରାଯାଇନଥିଲା । ଏହାସହ ପାସପୋର୍ଟକୁ ଦୁଇଥର ରିନ୍ୟୁ ମଧ୍ୟ କରାଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ସିରିଜ ବିସ୍ଫୋରଣ ହୋଇଥିଲା । ମୁନାଫ ଏହି ବିସ୍ଫୋରଣ ଯୋଜନାରେ ସଂପୃକ୍ତ ଥିଲା । ଏହି ବିସ୍ଫୋରଣରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଶହ ଶହ ଲୋକ ଏଥିରେ ଆହତ ହୋଇଥିଲେ । ବିସ୍ଫୋରଣ ପରେ ମୁନାଫ ଫେରାର ହୋଇଯାଇଥିଲା । ଏହାପରେ ମୁନାଫ ନିଶା କାରବାର କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.