ମହାରାଷ୍ଟ୍ରରେ କରୋନାର ଦ୍ରୁତ ସଂକ୍ରମଣ; ଏକ ବର୍ଷ ପରେ ହସ୍ପିଟାଲରେ ପୁଣି ଖୋଲିଲା କୋଭିଡ୍ ଓ୍ବାର୍ଡ
27/03/2023 at 3:31 PM

ମୁମ୍ବାଇ: ଦେଶରେ ପୁଣି ଥରେ କଡ଼ ଲେଉଟାଉଛି କୋଭିଡ୍-୧୯ ଭୂତାଣୁ । ଦିନକୁ ଦିନ ବଢ଼ିବାରେ ଲାଗିଛି କେସ୍ । ମହାରାଷ୍ଟ୍ରରେ ମଧ୍ୟ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେଣୁ ଦୀର୍ଘ ଏକ ବର୍ଷ ପରେ ପୁଣି ଥରେ କୋଭିଡ୍-୧୯ ଓ୍ବାର୍ଡ ଖୋଲିବାରେ ଲାଗିଛି । ମହାରାଷ୍ଟ୍ରର ବିଭିନ୍ନ ଘରୋଇ ହସ୍ପିଟାଲ କୋଭିଡ୍ ଓ୍ବାର୍ଡ ସେଟ୍ ଅପ୍ କରିବା ସହିତ କୋଭିଡ-୧୯ ପ୍ରୋଟୋକଲକୁ ଧ୍ୟାନ ଦେଇଛନ୍ତି । ଟେଷ୍ଟିଂକୁ ବୃଦ୍ଧି କରିବା ସହିତ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦେଉଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୦୫ ମାମଲା ସାମ୍ନାକୁ ଆସିଛି । ସେହିପରି ଶନିବାର ସଂକ୍ରମିତଙ୍କ ସଂଖ୍ୟା ୧୮୯୦ ରହିଥିଲା । ରବିବାର ରାଜ୍ୟରେ ୩୯୭ ନୂଆ କେସ୍ ଚିହ୍ନଟ କରାଯାଇଛି। ତେବେ ଶନିବାର ଠାରୁ ଏହି ମାମଲା ସାମାନ୍ୟ କମ୍ । ଶନିବାର ୪୩୭ଟି କେସ୍ ସାମ୍ନାକୁ ଆସିଛି । ବର୍ତ୍ତମାନ ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ୨ ହଜାର ପାର୍ କରିଛି । କେବଳ ମୁମ୍ବାଇରେ ୧୨୩ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି । ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ୪୩ଜଣ ସଂକ୍ରମିତ ଚିକିତ୍ସିତ ହେଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧ଜଣ ଅମ୍ଲଜାନ ସପୋର୍ଟରେ ରହିଛନ୍ତି ।
ଲିଲାବତୀ ହସ୍ପିଟାଲ ସିଇଓ ଡାକ୍ତର ଭି. ରବିଶଙ୍କର କହିଛନ୍ତି, କୋଭିଡ୍-୧୯ର ଦ୍ରୁତ ସଂକ୍ରମଣକୁ ନଜରରେ ରଖି ହସ୍ପିଟାଲରେ ଆଗୁଆ ପଦକ୍ଷେପ ନିଆଯାଇଛି । ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍ ଓ୍ବାର୍ଡକୁ ପୁଣି ଥରେ ସକ୍ରିୟ କରାଯାଇଛି । କୋଭିଡ୍ ସଂକ୍ରମିତଙ୍କ ପାଇଁ ୧୫ଟି ବେଡ୍ ସହିତ ଆଇସିୟୁ ବ୍ୟବସ୍ଥା ହୋଇଛି । ହସ୍ପିଟାଲରେ କୋଭିଡ୍ ଗାଇଡଲାଇନକୁ ଗୁରୁତ୍ବ ଦିଆଯାଉଛି । ରୋଗୀଙ୍କ ସ୍ପର୍ଶରେ ଆସୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରୋଟୋକଲ୍ ଅନୁସରଣ ପାଇଁ କୁହାଯାଉଛି । ସେହିପରି ବମ୍ବେ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ସ୍ବାତନ୍ତ୍ର ଓ୍ବାର୍ଡ ବ୍ୟବସ୍ଥା କରାଯାଇଛି ।
ଜେଜେ ଗ୍ରୁପ ହସ୍ପିଟାଲର ଦୁଇଟି କୋଭିଡ୍ କେସ୍ ଚିହ୍ନଟ କରାଯାଇଛି , ଡାକ୍ତରଙ୍କ କହିବା ଅନୁଯାୟୀ, ହସ୍ପିଟାଲରେ ବର୍ତ୍ତମାନ ମୋଟ୍ ୪ଜଣ କୋଭିଡ୍ ରୋଗୀ ଚିକିତ୍ସିତ ହେଉଛନ୍ତି । ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି କୋଭିଡ-୧୯ ଟିକ୍ ଏବଂ ଆନ୍ୟାନ୍ୟ ସାମଗ୍ରୀ ଷ୍ଟକ୍ ରଖାଯାଇଛି ।