ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ମାୟାନଗରୀ ମୁମ୍ବାଇ: ୨୬/୧୧ ଭଳି ଭୟଙ୍କର ଆକ୍ରମଣ ହେବା ନେଇ ପାକିସ୍ତାନରୁ ଆସିଲା ଚେତାବନୀ

Published By : Prameya-News7 Bureau | August 20, 2022 IST

ମୁମ୍ବାଇ: ପୁଣିଥରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ମାୟାନଗରୀ ମୁମ୍ବାଇ। ଭୟଙ୍କର ଆକ୍ରମଣ ନେଇ ମିଳିଲା ସୂଚନା। ୨୬/୧୧ ଭଳି ପୁଣିଥରେ ଆକ୍ରମଣ ହେବ ବୋଲି ମୁମ୍ବାଇ ପୁଲିସ ଟ୍ରାଫିକ୍ କଣ୍ଟ୍ରୋଲ୍ର ହ୍ୱାଟ୍ସଆପ୍‌ ନମ୍ବରକୁ ଏକ ଚେତବନୀପୂର୍ଣ୍ଣ ମେସେଜ୍ ଆସିଛି। ଏକ ପାକିସ୍ତାନ ନମ୍ବରରୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି। ଭାରତରେ ରହି ୬ ଜଣ ଭୟଙ୍କର ଆକ୍ରମଣର ଯୋଜନା କରୁଥିବା ମେସେଜ୍‌ରେ କୁହାଯାଇଛି।

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁମ୍ବାଇ ପୁଲିସ କମିଶନର ବିବେକ ଫନସଲକର। ସେ କହିଛନ୍ତି “ ମମ୍ମଦ ଇମ୍‌ତିଆଜ୍‌ ନାମରେ ପଞ୍ଜିକୃତ ହୋଇଥିବା ଏକ ପାକିସ୍ତାନ ନମ୍ବରରୁ ଧମକପୂର୍ଣ୍ଣ ମେସେଜ୍ ଆସିଛି। ତାଙ୍କ ଘର ମୋହଲ ଅଜିଜ କଲୋନୀ ୱାନ୍ଦଲାହ ରୋଡ, ଶାଦ୍ରା ଲାହୋର। ଏହି ଲୋକ ନାଁରେ ମୋଟ ୪ ନମ୍ବର ରହିଛି।” ଏହି ଧମକ ପରେ ମୁମ୍ବାଇ ପୁଲିସ ସତର୍କ ହୋଇଛି। ଉପକୂଳ ଅଞ୍ଚଳଗୁଡ଼କରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କଡ଼ି କରିଦିଆଯାଇଛି। ତଟରକ୍ଷୀ ବାହିନୀଙ୍କ ସହ ଯୋଗଯୋଗ ଚାଲିଛି ବୋଲି ମୁମ୍ବାଇ ପୁଲିସ କମିଶନର କହିଛନ୍ତି।

ଏହି ମେସେଜ୍ ପାଇବା ପରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଅନ୍ୟ ତଦନ୍ତକାରୀ ସଂସ୍ଥାମାନଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିବା କୁହାଯାଉଛି। ଘଟଣାକୁ ଗୁରୁତର ସହ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି “ ଆମେ ଏହି ଧମକପୂର୍ଣ୍ଣ ମେସେଜ୍ ଘଟଣାକୁ ଗୁରୁତର ସହ ନେଇଛୁ। ଏନେଇ ତଦନ୍ତ ପାଇଁ ଏଜେନ୍ସିଗୁଡ଼ିକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.