ସ୍ତ୍ରୀଙ୍କୁ ପଚରାଉଚରା କରୁଥିଲା ପୋଲିସ, ଥାନାରେ ନିଜକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ

Published By : Prameya-News7 Bureau | November 13, 2021 IST

ମୁମ୍ବାଇ,୧୩/୧୧: ଥାନାରେ ନିଜ ଶରୀରରେ ନିଆଁ ଲଗାଇଦେଲେ ଯୁବକ । ଜଳିଗଲା ଶରୀରର ୬୫ ପ୍ରତିଶତ । ଜୀବନ-ମୃତ୍ୟୁର ସଂଗ୍ରାମରେ ଶେଷରେ ସେ ହାରିଗଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ତାରଦେଓ ଥାନାରେ । ନିଆଁରେ ଜଳି ପ୍ରାଣ ହରାଇଥିବା ଯୁବକ ହେଲେ ସରବଜିତ୍ ମୋରେ ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗୁରୁବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା । ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ବ୍ୟକ୍ତିଜଣଙ୍କ ପ୍ରାଣ ହରାଇଥିଲେ ।ସେ ଜଣେ ପୋଲିସ କନଷ୍ଟେବଳଙ୍କ ଭାଇ ଯିଏ କି ପୂର୍ବରୁ ଏକ ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଏବେ ସେ ବେକାର ଥିଲେ ।

ପୋଲିସ ଅଧିକାରୀଜଣଙ୍କ ଆହୁରି କହିଛନ୍ତି ଯେ, ସରବଜିତ୍ ୨୦୨୦ ଅକ୍ଟୋବର ୧୭ରେ ୨୦୨୦ ଅକ୍ଟୋବର ୧୭ରେ ଜଣେ ପୋଲିସ ଅଧିକାରୀଙ୍କ ଝିଅକୁ ବିବାହ କରିଥିଲେ । କିଛି ଦିନ ପରେ ତାଙ୍କ ପତ୍ନୀ ରାଗି ଯାଇ ନିଜ ଘରକୁ ଚାଲିଯାଇଥିଲେ । କିନ୍ତୁ ପରେ ଫେରିଯାଇ ସରବଜିତଙ୍କ ସହ ରହିଥିଲେ । ତଥାପି ଉଭୟଙ୍କ ମଧ୍ୟରେ କଳିଝଗଡା ଲାଗି ରହୁଥିଲା  । ଏଥିରେ ଅତିଷ୍ଠ ହୋଇ ପତ୍ନୀ ରାଗି ଯାଇ ପୁଣି ଜଣେ ବନ୍ଧୁଙ୍କ ଘରକୁ ଚାଲିଯାଇଥିଲେ ।

ସରବଜିତ୍ ବହୁ ଖୋଜାଖୋଜି କରିଥିଲେ । ଏପରିକି ପତ୍ନୀଙ୍କ ବହୁ ସାଙ୍ଗଙ୍କୁ ଫୋନ୍ କରିଥିଲେ । ହେଲେ କିଛି ପତ୍ତା ମିଳିନଥିଲା । ବାଧ୍ୟ ହୋଇ ସେ ତାରଦେଓ ପୋଲିସ ଷ୍ଟେସନରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ପୋଲିସ ପତ୍ନୀଙ୍କୁ ଠାବ କରି କିଛି ପ୍ରଶ୍ନ ପଚାରିବାକୁ ଥାନାକୁ ଡାକିଥିଲା  । ଗୋଟିଏ ପଟେ ପୋଲିସ ପତ୍ନୀଙ୍କୁ ପଚରାଉଚୁରା କରୁଥିବା ବେଳେ ଅନ୍ୟପଟେ ସରବଜିତ୍ ଥାନାକୁ ଆସିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ନିଜ ଶରୀରରେ ନିଆଁ ଲଗାଇଦେଇଥିଲେ । ତୁରନ୍ତ ତାଙ୍କୁ ନାୟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶେଷରେ ସେ ମରଣ ସହ ଲଢି ପରାଜିତ ହୋଇଥିଲେ । ତେବେ ସେ ସାଙ୍ଗରେ କିରାସିନୀ ନେଇ ଆସିଥିଲେ  ଓ ସେଥିରେ ହିଁ ନିଜକୁ ଜାଳିଦେଇଥିବା ପୋଲିସ ଜାଣିବାକୁ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.