ଅର୍ଣ୍ଣବଙ୍କ ଆଚରଣରେ କ୍ଷୁବ୍ଧ ହେଲେ ବିଚାରପତି ; ଅଦାଲତଙ୍କ ମର୍ଯ୍ୟାଦା ରକ୍ଷା , ଅଭିଯୁକ୍ତ ଭଳି ଆଚରଣ ଓ ବିଚାର ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାକୁ ଦେଲେ ନିର୍ଦ୍ଦେଶ
6/11/2020 at 2:51 PM

ମୁମ୍ବାଇ ୦୬/୧୧ : ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିଚାରପତିଙ୍କ କଡା ନିର୍ଦ୍ଦେଶ ନେଇ ଚର୍ଚ୍ଚା । ଗୁରୁବାର ଶୁଣାଣି ବେଳେ ଆଲିବାଗ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅର୍ଣ୍ଣବଙ୍କୁ ଅଦାଲତଙ୍କ ମର୍ଯ୍ୟାଦା ରକ୍ଷାକରିବା ସହ ଜଣେ ଅଭିଯୁକ୍ତ ଭଳି ଆଚରଣ କରିବାକୁ ଓ ବିଚାର ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାକୁ ସଷ୍ଟ ଭାବେ କହିଥିଲେ । ଏବେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ତାଙ୍କୁ ୨୦୧୮ର ଇଣ୍ଟରିଅର ଡିଜାଇନର ଅନଭୟ ନାୟକ ମୃତ୍ୟୁ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ । ତେବେ ବିଚାର ବିଭାଗୀୟ ହାଜତରେ ଥିବା ଅର୍ଣ୍ଣବଙ୍କ ଲାଗି ଆଲିବାଗ କୋର୍ଟର ମୁଖ୍ୟ ମାଜିଷ୍ଟେ୍ରଟ ସୁନୈନା ପିଙ୍ଗାଲେ କିଛି ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଶୁଣାଣି ସମୟରେ ମାଜିଷ୍ଟ୍ରେଟ ଏପରି କହିଛନ୍ତି । ତଦନ୍ତରେ ଅସହଯୋଗ କରୁଥିବାରୁ ଅର୍ଣ୍ଣବଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ମାଜିଷ୍ଟ୍ରେଟ ।
ସୂଚନା ଅନୁସାରେ, ଯେତେବେଳେ ମୃତ ଅନଭୟ ନାୟକଙ୍କ ସମ୍ପର୍କୀୟଙ୍କୁ ମୃତ୍ୟୁ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ ପାଇଁ ବା ପକ୍ଷ ରଖିବା ପାଇଁ କୁହାଯାଇଥିଲା ସେତେବେଳେ ଅର୍ଣ୍ଣବଙ୍କୁ ଅଭିଯୁକ୍ତ ଭାବେ ଠିଆ ହେବା ପାଇଁ କୁହାଯାଇଥିଲା କିନ୍ତୁ ସେ ମାଜିଷ୍ଟ୍ରେଟ ନିକଟରେ ଥିବା ଡାଏସ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ତେବେ ସେତିକି ବେଳେ ଡାଏସ ଉପରକୁ ନଚଢିବା ପାଇଁ ଅର୍ଣ୍ଣବଙ୍କୁ ତାଗିଦ କରିଥିଲେ ।
ଅଭିଯୋଗକାରୀଙ୍କ ଓକିଲଙ୍କ ପକ୍ଷରୁ ଘଟଣା ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନା ସମୟରେ ଅର୍ଣ୍ଣବ ଚିତ୍କାର କରିବା ସହ ମାଜିଷ୍ଟ୍ରେଟଙ୍କୁ କ୍ଷତ ଚିହ୍ନ ଦେଖାଇଥିଲେ । ଅର୍ଣ୍ଣବଙ୍କୁ ଚିକିତ୍ସା କରିଥିବା ଡାକ୍ତର ସେଠାରେ ଉପସ୍ଥିତ ଥିଲେ ତେବେ ଅର୍ଣ୍ଣବଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କୁ ପଚରାଯିବାରୁ ପୁଣି ଚିହିକି ଉଠି ଡାକ୍ତର ମିଛ କହୁଛନ୍ତି ବୋଲି କହିଥିଲେ । ମାଜିଷ୍ଟ୍ରେଟ ବାଧ୍ୟ ହୋଇ କୋର୍ଟ ରୁମରୁ ବାହାରିଯିବାକୁ କହିବା ଏବଂ କେବଳ ଅଭିଯୋଗକାରୀଙ୍କ ଓକିଲଙ୍କ ପକ୍ଷ ଶୁଣିବାକୁ କହିବା ପରେ ଅର୍ଣ୍ଣବ ଚୁପ ହୋଇଥିଲେ । ଆଉ ଏକ ଘଟଣାକ୍ରମରେ ଅପରାହ୍ନରେ ବିଜେପି ଏମପି କ୍ରିତିକ ସୋମୈୟା ଅର୍ଣ୍ଣବଙ୍କୁ ଭେଟିବାକୁ କହିବାରୁ ପୋଲିସ ଅନୁମତି ଦେଇନଥିଲା ।