କ୍ୟାମେରୁନ ଗ୍ରୀନଙ୍କ ପ୍ରହାରରେ ଧରାଶାୟୀ ହାଇଦ୍ରାବାଦ, ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | May 21, 2023 IST

ମୁମ୍ବାଇ: ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଛକା-ଚୌକାର ବର୍ଷାର। ବଡ଼ ସ୍କୋର ମୁକାବିଲାରେ ଦମଦାର ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ। କ୍ୟାମେରୁନ୍ ଗ୍ରୀନଙ୍କ ଧୂଆଁଧାର ଅପରାଜିତ ଶତକ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୬୯ତମ ମ୍ୟାଚ୍‌ରେ ୮ ଓ୍ଵିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ଗୁରୁତ୍ଵପୂର୍ଣ୍ଣ ବିଜୟ ସହିତ ମୁମ୍ବାଇର ପ୍ଲେ ଅଫ ଖେଳିବା ଆଶା ଉଜ୍ଜୀବିତ ରହିଛି। ଦଳକୁ ଏବେ ଗୁଜରାଟ୍ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲାର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟପଟେ ଶୋଚନୀୟ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ସନରାଇଜର୍ସ ହାଇଦ୍ରାବାଦ।

ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୦ ରନ କରିଥିଲା। ମୟଙ୍କ ଅଗ୍ରଓ୍ଵାଲ (୮୩ ରନ) ଏବଂ ବିଭ୍ରାନ୍ତ ଶର୍ମା (୬୯ ରନ)  ପ୍ରଥମ ଓ୍ଵିକେଟ୍‌ରେ ୧୪୦ ରନ ଯୋଡିବାରୁ ହାଇଦ୍ରାବାଦ ଏହି ସ୍କୋରରେ ପହଞ୍ଚି ପାରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମେରୁନ ଗ୍ରୀନଙ୍କ ବିସ୍ଫୋରକ ଅପରାଜିତ ଶତକ(୧୦୦) ବଳରେ ୨୦୧ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୨ ଓ୍ଵିକେଟ୍ ହରାଇ ୧୮ ଓଭରରେ ହାସଲ କରି ନେଇଛି। ଅଧିନାୟକ ରୋହିତ ଶର୍ମା ୫୬ ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୨୫ ରନରେ ଅପରାଜିତ ଥିଲେ।

{"id":790060,"sizeSlug":"full","linkDestination":"none"}

୨୦୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଦଳୀୟ ସ୍କୋର ୨୦ ରନରେ ପ୍ରଥମ ଝଟକା ଲାଗିଥିଲା। ଇଶାନ କିଷନ ୧୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଏବଂ କ୍ୟାମେରୁନ ଗ୍ରୀନ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି କ୍ୟାମେରୁନ ଗ୍ରୀନ ହାଇଦ୍ରାବାଦ ବୋଲରଙ୍କୁ ପ୍ରହାର କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍‌ ପାଇଁ ୧୨୮ ରନ ଯୋଡ଼ି ମୁମ୍ବାଇର ବିଜୟ ସୁନିଶ୍ଚିତ କରିଥିଲେ। ରୋହିତ ଶର୍ମା ୩୭ ବଲ୍‌ରୁ ୮ ଚୌକା ଏବଂ ୧ ଛକା ସହ ୫୬ ରନର ଇନିଂସ ଖେଳିଥିଲେ। ପରେ ଗ୍ରୀନ ଏବଂ ସୂର୍ଯ୍ୟକୁମାର ଦଳ ବିଜୟର ଔପଚାରିକତା ପୂରଣ କରିଥିଲେ। ଗ୍ରୀନ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ୪୭ ବଲ୍‌ରୁ ଆଇପିଏଲ୍ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ସେ ୪୭ ବଲ୍‌ରୁ ୮ଟି ଚୌକା ଏବଂ ୮ଟି ଛକା ଜରିଆରେ ୧୦୦ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ସୂର୍ଯ୍ୟକୁମାର ଯାଦବ ୨୫ ରନରେ ଅପରାଜିତ ରହିଥିଲେ। ଦୁଇ ବ୍ୟାଟର ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୫୩ ରନ ଯୋଡ଼ିଥିଲେ। ଶେଷରେ ମୁମ୍ବାଇ ମ୍ୟାଚ୍‌କୁ ୧୮ ଓଭରରେ ୨ ଓ୍ଵିକେଟ୍ ହରାଇ ଜିତି ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.