ଏଲିମିନେଟର ମୁକାବିଲା: ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ନିଷ୍ପତ୍ତି, LSGର ପଲ୍ଲା ଭାରି

Published By : Prameya-News7 Bureau | May 24, 2023 IST

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଏଲିମିନେଟର ମୁକାବିଲା । ଆଜି ସଂଧ୍ୟାରେ ଲକ୍ଷ୍ମୌ ସୁପର ଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ ମଧ୍ୟରେ ହେବ ଟକ୍କର। ଚେନ୍ନାଇରେ ଏହି ମ୍ୟାଚ ଖେଳାଯାଉଥିବାରୁ ଉଭୟ ଦଳ ଚେପକରେ ପହଞ୍ଚି ଅଭ୍ୟାସ କରିଛନ୍ତି । ଏଲିମିନେଟର ବିଜୟୀ ଟିମ୍ ଗୁଜରାଟ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ। ମ୍ୟାଚ୍‌ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ଆଇପିଏଲରେ ଲକ୍ଷ୍ନୌର ସୁପର ଜାଏଣ୍ଟସର ପଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସମସ୍ତ ମ୍ୟାଚ୍ ଏଲଏସଜି ଜିତିଛି । ଏହି ମ୍ୟାଚ୍ ଏକ ନିରପେକ୍ଷ ଗ୍ରାଉଣ୍ଡ୍‌ରେ ଖେଳାଯାଉଥିବାରୁ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ତେବେ ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଗତ ୧୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସୁପର ଜାଏଣ୍ଟସ ମାତ୍ର ୫ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ମାର୍କସ ଷ୍ଟଇନିସ୍‌ ଅପରାଜିତ ୮୯ ରନ୍‌ର ଏକ ଚିତ୍ତାକର୍ଷକ ଇନିଂସ ଖେଳିଥିଲେ । ଏଥର ତାଙ୍କୁ ଅଟକାଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିଛି ।

ସୁପର ଜାଏଣ୍ଟ୍‌ସକୁ ହରାଇବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ବିଭାଗକୁ ସୁଧାରିବାକୁ ପଡ଼ିବ । ଯଶପ୍ରୀତ ବୁମରା, ଜୋଫ୍ରା ଆର୍ଚର, ଝେୟ ରିଚାର୍ଡସନଙ୍କ ଅନୁପସ୍ଥିତିରେ ଅନଭିଜ୍ଞ ବୋଲିଂ ବିଭାଗ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଖେଳୁଛି । କେବଳ ରଣନୀତି ଅନୁଯାୟୀ ବୋଲିଂ କରିପାରିଲେ ବିଜୟ ମିଳିବା ନିଶ୍ଚିତ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଚିନ୍ତାର କାରଣ ହେବେ ସୁପର ଜାଏଣ୍ଟ୍‌ସର ଦୁଇ ସ୍ପିନର ରବି ବିଷ୍ଣୋଇ ଓ ଅମିତ ମିଶ୍ରା । ଉଭୟ ସ୍ପିନର ରୋହିତ ଓ ସୂର୍ଯ୍ୟକୁମାରଙ୍କ ବିପକ୍ଷରେ ସଫଳ ହୋଇଛନ୍ତି । ବିଷ୍ଣୋଇ ଇତି ମଧ୍ୟରେ ରୋହିତଙ୍କୁ ୨ଥର ଓ ସୂର୍ଯ୍ୟକୁମାରଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି ।

ଅନ୍ୟପଟେ ଚେପକ୍ ଷ୍ଟାଡିୟମ୍‌ର ପିଚ୍‌ ବ୍ୟାଟିଂ ଓ ସ୍ପିନ ବୋଲିଂ ପାଇଁ ବେଶ୍‌ ଅନୁକୂଳ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଉଭୟ ଦଳର ସ୍ପିନରଙ୍କ ଉପରେ ନଜର ରହିବ । ମୁମ୍ବାଇ ନିକଟରେ ଏକମାତ୍ର ଅଭିଜ୍ଞ ସ୍ପିନର ଭାବେ ପିୟୂଷ ଚାୱଲା ରହିଛନ୍ତି । ତେବେ ଆଜିର ମ୍ୟାଚରେ କଡ଼ା ଟକ୍କର ହେବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.