କୋଲକାତା ବିପକ୍ଷରେ ସବୁଠୁ ଶକ୍ତିଶାଳୀ ଦଳକୁ ନେଇ ପଡିଆକୁ ଓହ୍ଲାଇବ ମୁମ୍ବାଇ ! ଆପଣାଇବ ନୂଆ ରଣନୀତି
23/09/2020 at 6:01 PM

ଆବୁଧାବି, ୨୩ ।୦୯: ଆଇପିଏଲ-୨୦୨୦ର ପଞ୍ଚମ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ଆବୁଧାବିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କେକେଆରର ପ୍ରଥମ ମ୍ୟାଚ୍ ହେବ । ତେବେ ମୁମ୍ବାଇ ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇଠୁ ପରାସ୍ତ ହୋଇଛି । ଏହି ମ୍ୟାଚ୍ ଜିତି ମୁମ୍ବାଇ ଟ୍ରାକ୍କୁ ଫେରିବା ନେଇ ଲକ୍ଷ୍ୟ ରଖିଛି । ମୁମ୍ବାଇର ଅଧିନାୟକ ରୋହିତ ମ୍ୟାଚ୍ ଜିତିବା ପାଇଁ କେଉଁ ୧୧ଜଣ ଖେଳାଳିଙ୍କୁ ଚୟନ କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ପ୍ରଥମ ମ୍ୟାଚରେ ମୁମ୍ବାଇ ହାରିବା ପରେ କୋଲକାତା ବିପକ୍ଷରେ ଦଳରେ ଅନେକ ପରିବର୍ତ୍ତନ କରିବ ବୋଲି ସ୍ପଷ୍ଟ ହୋଇଛି । ଦ୍ରୁତ ବୋଲର ଜେମ୍ସ ପଣ୍ଟିସନଙ୍କ ବଦଳରେ ଦଳ ନାଥାନ କୁଲ୍ଟରଙ୍କୁ ସ୍ଥାନ ଦେଇପାରେ । କୁଲ୍ଟର ପ୍ରଥମ ମ୍ୟାଚରେ ଫିଟ୍ ନଥିଲେ । ତେବେ ସେ ଆସିଲେ ମୁମ୍ବାଇକୁ ଫାଇଦା ମିଳିବ । କାରଣ ସେ ଲୋଅର୍ ଅର୍ଡରରେ ଭଲ ବ୍ୟାଟିଂ ମଧ୍ୟ କରିଥାନ୍ତି । କହିବାକୁ ଗଲେ ସେ ଜଣେ ଭଲ ଅଲରାଉଣ୍ଡର ।ଏପରିକି ତାଙ୍କ ଫିଲ୍ଡିଂ ମଧ୍ୟ ଉଚ୍ଚକୋଟୀର । ଏହା ବ୍ୟତୀତ ମଧ୍ୟ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
ମୁମ୍ବାଇକୁ ନିଜ ରଣନୀତି ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଗତ ମ୍ୟାଚରେ ଦଳ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିପାରି ନଥିଲା । ଓ୍ୱିକେଟ୍ ପଡିବା ପରେ ଦଳ ସଠିକ୍ ଢଙ୍ଗରେ ଖେଳିପାରି ନଥିଲା । ତେବେ କୋଲକାତା ବିରୋଧରେ ମୁମ୍ବାଇର ଭଲ ରେକର୍ଡ ରହିଛି । ମୁମ୍ବାଇ କୋଲକାତା ମଧ୍ୟରେ ଖେଳାଯାଇଥିବା ୨୫ଟି ମ୍ୟାଚରୁ ମୁମ୍ବାଇ ୧୯ଟି ମ୍ୟାଚ୍ ଜିତିଛି ।
ସମ୍ଭାବ୍ୟ ଦଳ- ରୋହିତ ଶର୍ମା, କ୍ଲିଣ୍ଟନ୍ ଡିକକ୍, ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ୱାରୀ, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟ, କୃଣାଲ ପାଣ୍ଡ୍ୟା, ନାଥଲ କୁଲ୍ଟର ନାଇଲ, ରାହୁଲ ଚାହର, ଟ୍ରେଣ୍ଟ ବୋଲ୍ଟ ଓ ଜସପ୍ରିତ ବୁମରାହ ।