ରୋହିତ ବାହିନୀ ପାଖରେ ରହିଛି ବେଙ୍ଗାଲୁରୁର ପ୍ଲେ ଅଫରେ ପହଞ୍ଚିବାର ଚାବି, ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍ ଉପରେ ଏବେ ସଭିଙ୍କ ନଜର

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଆଇପିଏଲ ୨୦୨୨ରେ ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁର ପ୍ଲେ ଅଫ ଆଶା ଉଜ୍ଜିବୀତ ରହିଛି। ହେଲେ ଏହି ବିଜୟ ପରେ ବି ବେଙ୍ଗାଲୁରୁର ପ୍ଲେ ଅଫରେ ପହଞ୍ଚିବା ସହଜ ନୁହେଁ। କାରଣ ଅନ୍ତିମ ଚାରିରେ ସ୍ଥାନ ପାଇବା ପାଇଁ ଦଳକୁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାର ପରିଣାମ ଉପରେ ନିର୍ଭର କରିବାକୁ ପଡିବ। ଶନିବାର ଓ୍ଵାଙ୍ଖଡେ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚରେ ଯଦି ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦିଏ ତେବେ ବେଙ୍ଗାଲୁରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍  ପଡିବ ଏବଂ ଦିଲ୍ଲୀ ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବ।

ନିଜର ଶେଷ ମ୍ୟାଚ୍‌ ଜିତିବା ପରେ ବି ବେଙ୍ଗାଲୁରୁର ନେଟ୍ ରନ ରେଟ୍ ବିଯୁକ୍ତ ଥିବା ବେଳେ ଦିଲ୍ଲୀର ଯୁକ୍ତ ରହିଧଛି। ତେଣୁ ଏବେ ବେଙ୍ଗାଲୁରୁର ପ୍ଲେ ଅଫ ଚାବି ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରହିଛି। ଏହା ଦେଖିବା ବାକି ରହିଲା ଯେ, ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ବେଙ୍ଗାଲୁରୁକୁ ପ୍ଲେ ଅଫ ପର୍ଯ୍ୟନ୍ତ ନେଇ ପାରୁଛି କି ନାହିଁ।

ରୋଚକ କଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସମସ୍ତ ଖେଳାଳି, ସଦସ୍ୟ, ପ୍ରବନ୍ଧକ ସହିତ ପ୍ରଶଂସକ ଉକ୍ତ ମ୍ୟାଚରେ ମୁମ୍ବାଇର ବିଜୟ କାମନା କରିବେ। ଅଧିନାୟକ ଫାଫ ଡୁ ପ୍ଲେସିସ୍ ମଧ୍ୟ କହି ସାରିଛନ୍ତି ଯେ, ସେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାରେ ରୋହିତଙ୍କ ଦଳକୁ ସମର୍ଥନ ଦେବେ। ଦିଲ୍ଲୀ ବିପକ୍ଷ ନିଜ ଶେଷ ମୁକାବିଲାରେ ମୁମ୍ବାଇ  ଭଲ  ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ଆମେ ଶେଷ ମ୍ୟାଚରେ ଭଲ କ୍ରିକେଟ୍ ଖେଳିଲୁ। ବିରାଟ କୋହଲି ନେଟ୍‌ ଖୁବ୍ ପରିଶ୍ରମ କରିଥିଲେ। ହେଲେ କିଛି ପ୍ରଦର୍ଶନରେ ନିରନ୍ତରତାର ଅଭାବ କାରଣରୁ ଆମକୁ ଆଜି ଏହି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଏବେ ରୋହିତଙ୍କଠୁ ଆମେ ଭଲ ପ୍ରଦର୍ଶନ ଆଶା କରୁଛୁ ବୋଲି ରୋହିତ ଶର୍ମା କହିଛନ୍ତି।

ବେଙ୍ଗାଲୁରୁ ଲିଗ୍ ପର୍ଯ୍ୟାୟରେ ସମସ୍ତ ୧୪ ମ୍ୟାଚ୍ ଖେଳିବା ପରେ ୮ ବିଜୟ ସହ ୧୬ ପଏଣ୍ଟ  ପାଇଛି। ଦଳ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ୧୩ଟି ମ୍ୟାଚ୍‌ରୁ ୭ ବିଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଯଦି ଦିଲ୍ଲୀ ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରେ ତେବେ ଦଳ ୧୬ ପଏଣ୍ଟ ସହ ପ୍ଲେ ଅଫରେ ପ୍ରବେଶ କରିବ। ଦିଲ୍ଲୀର ନେଟ୍ ରନ ରେଟ୍ +0.255 ରହିଥିବା ବେଳେ ବେଙ୍ଗାଲୁରୁର ନେଟ୍ ରନ ରେଟ୍ -0.253  ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.