ଅନଲାଇନରେ ସିଙ୍ଗଡ଼ା ମଗାଇବା ପଡ଼ିଲା ଭାରି, ଆଖି ପିଛୁଳାକେ ଡାକ୍ତରଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଲକ୍ଷାଧିକ ଟଙ୍କା
11/07/2023 at 5:10 PM

ନୂଆଦିଲ୍ଲୀ, ୧୧/୦୭: ଆଜିର ସମୟରେ ଡିଜିଟାଲ ପେମେଣ୍ଟର ବ୍ୟବହାର ଖୁବ୍ ବଢ଼ିଛି। ମାତ୍ର କିଛି ସମୟରେ କାହାକୁ ବି ଟଙ୍କା ପଠାଇ ହେଉଛି କିମ୍ବା ଟଙ୍କା ମଗାଇହେଉଛି। ହେଲେ ଏହି ଡିଜିଟାଲ ନେଣଦେଣ ବଢ଼ିବା ସହ ସାଇବର ଠକଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଛି। ଦିନକୁ ଦିନ ନୂଆ ନୂଆ ଉପାୟରେ ସାଇବର ଠକମାନେ ଲୋକ ଆକାଉଣ୍ଟକୁ ଚଳୁ କରିଦେଉଛନ୍ତି। ସାଇବର ଠକେଇ ନେଇ ଅନେକ ସମୟରେ ସଚେତନତା ମଧ୍ୟ କରାଯାଉଛି। ହେଲେବି ଏହି ସାଇବର ଠକମାନେ ଟଙ୍କା ଲୁଟିନେଉଛନ୍ତି। ଏବେ ପୁଣି ଥରେ ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଯେଉଁଠାରେ ସିଙ୍ଗଡ଼ା ଅର୍ଡର କରି ଜଣେ ଡାକ୍ତର ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହରାଇଛନ୍ତି।
ସୂଚନା ଅନୁଯାୟୀ, ମୁମ୍ବାଇ ନଗର ନିଗମ ଦ୍ବାରା ପରିଚାଳିତ କେଇଏମ ହସ୍ପିଟାଲର ଜଣେ ଡାକ୍ତର ଏବଂ ତାଙ୍କର ସହକର୍ମୀମାନେ ଏକ ପିକ୍ନିକ୍ରେ ଯିବା ପୂର୍ବରୁ ରାସ୍ତାରେ ଖାଇବାକୁ ସିଙ୍ଗଡ଼ା ନେବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଅନଲାଇନ୍ରୁ ଏକ ଦୋକାନର ନମ୍ବର ବାହାର କରିଥିଲେ ଏବଂ ଫୋନ୍ ଯୋଗେ ୨୫ ପ୍ଲେଟ୍ ସିଙ୍ଗଡ଼ା ଅର୍ଡର ଦେଇଥିଲେ। ତେବେ ଫୋନ୍ ଉଠାଇଥିବା ବ୍ୟକ୍ତି ଆଡଭାନ୍ସ ବାବଦକୁ ୧୫୦୦ ଟଙ୍କା ମାଗିଥିଲେ।
ଆହୁରି ପଢ଼ନ୍ତୁ: ୧୬ ଦେଶଙ୍କୁ ଟାର୍ଗେଟ କରି ସାଇବର ଆକ୍ରମଣ ଚଳାଇଛନ୍ତି ଚୀନ୍ ଗୁପ୍ତଚର, ଗୁଗଲ ସମର୍ଥିତ ଫାର୍ମର ବୟାନ ପରେ ଚାଞ୍ଚଲ୍ୟ
ଏହା ପରେ ଅର୍ଡର କନଫର୍ମ କରିବାକୁ ଡାକ୍ତରଙ୍କୁ ଏକ ହ୍ବାଟ୍ସଆପ୍ ମେସେଜ ମଧ୍ୟ ଆସିଥିଲା ଏବଂ ଏହା ସହ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ରହିଥିଲା। ଆଉ ଡାକ୍ତର ଜଣକ ସେଥିରେ ୧୫୦୦ ଟଙ୍କା ମଧ୍ୟ ପଠାଇଦେଇଥିଲେ। ସେପେଟ ପେମେଣ୍ଟ ପାଇଁ ଫୋନରେ ବ୍ୟକ୍ତି ଜଣକ ଡାକ୍ତରଙ୍କୁ ଏକ ଟ୍ରାଞ୍ଜାକ୍ସନ ଆଇଡି ତିଆରି କରିବାକୁ କହିଥିଲେ। ଆଉ କେମିତି ଟ୍ରାଞ୍ଜାକ୍ସନ ଆଇଡି ତିଆରି ହେବ ତାହା ମଧ୍ୟ କହିଥିଲା। ତେବେ ଆଇଡି ତିଆରି କରିବା ପ୍ରକ୍ରିୟା ମଧ୍ୟରେ ପ୍ରଥମେ ୨୮,୮୦୭ ଏବଂ ଏଭଳି ଭାବରେ ୧.୪୦ ଲକ୍ଷ ଟଙ୍କା ଡାକ୍ତରଙ୍କ ଆକାଉଣ୍ଟରୁ କଟିଯାଇଥିଲା।
ପୋଲିସ୍ର ସୂଚନା ଅନୁଯାୟୀ, ଏହି ଘଟଣା ଶନିବାର ସକାଳ ୮:୩୦ରୁ ୧୦:୩୦ ମଧ୍ୟରେ ହୋଇଥିଲା। ତେବେ ଏହି ମାମଲାରେ ଭୋଇଓ୍ବାଡ଼ା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।
ଆହୁରି ପଢ଼ନ୍ତୁ: ଲକ୍ଷେ ୭୭ ହଜାର ଟଙ୍କା ଠକେଇ ଅଭିଯୋଗ, ୪ ସାଇବର ଠକ ଗିରଫ