ମୁମ୍ବାଇସ୍ଥିତ ସଲମାନଙ୍କ ବଙ୍ଗଳାରେ କ୍ରାଇମବ୍ରାଞ୍ଚ ଚଢଉ, ଧରାପଡିଲା ୨୯ ବର୍ଷ ତଳର ଅପରାଧୀ

Published By : Prameya-News7 Bureau | October 10, 2019 IST

ମୁମ୍ବାଇ :  ପ୍ରଖ୍ୟାତ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବଙ୍ଗଳାରେ ଗୁରୁବାର  କ୍ରାଇମବ୍ରାଞ୍ଚ ପୋଲିସ ଚଢଉ କରିଛି। ଏହି ଚଢଉ ବେଳେ ସଲମାନଙ୍କ ବଙ୍ଗଳାର ଦେଖରେଖା କରୁଥିବା ଜନୈକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେ ଦୀର୍ଘ ୨୯ ବର୍ଷ ହେଲା ପୋଲିସ ରେକର୍ଡରେ ଫେରାର ଥିଲା । ଗିରଫ ବ୍ୟକ୍ତି ଜଣକ ଗତ ୨୦ ବର୍ଷ ହେଲା ସଲମାନଙ୍କ ଘରେ ରହୁଥିଲେ ହେଁ ମୁମ୍ବାଇ ପୋଲିସକୁ ଏହାର ସାମାନ୍ୟତମ ସୂଚନା କିପରି ନଥିଲା ତାହା ଏହେ ଚର୍ଚ୍ଚାର ବିଷୟ ପାଲଟିଛି। 

ମୁମ୍ବାଇ ଗୋରାଇସ୍ଥିତ ସଲମାନଙ୍କ ବଙ୍ଗଳାରେ ପୋଲିସ ଚଢଉ କରିଥିବା ବେଳେ  ସେଠାରୁ ଗିରଫ ବ୍ୟକ୍ତି ଜଣକ ବଙ୍ଗଳାର କେୟାର ଟେକର ଶକ୍ତି ସିଦ୍ଧେଶ୍ୱର ରାଣା ବୋଲି ପୋଲିସ କହିଛି। ୬୨ ବର୍ଷ ବୟସ୍କ ରାଣା ସଲମାନଙ୍କ ଘରର ଦେଖାରେଖା କରୁଥିବା କ୍ରାଇମବ୍ରାଞ୍ଚ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିଲା।  ସୂଚନା ଆଧାରରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ୟୁନିଟ୍-୪ ପୁରା ଯୋଜନା କରି ଘର ଉପରେ ଚଢଉ କରିଥିଲା। ତେବେ ପୋଲିସକୁ ଦେଖି ରାଣା ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲା। ହେଲେ ପୁରା ବଙ୍ଗଳାକୁ ପୋଲିସ ଘେରି ରଖିଥିବାରୁ ତାର ଖସିଯିବା ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା।

୧୯୯୦ ମସିହାରେ ରାଣା ଓ ସାଥୀ ଏକ ଚୋରୀ ମାମଲାରେ ଗିରଫ ହୋଇଥିଲେ। ପରେ ସେ କୋର୍ଟରୁ ଜାମିନରେ ମୁକୁଳିଥିଲେ ହେଁ ପୋଲିସକୁ ଆଉ ଧରା ଦେଉନଥିଲା। ତେବେ ରାଣା ଫେରାର ହେବା ପରଠାରୁ ମୁମ୍ବାଇ ପୋଲିସ ତାର ସୂଚନା ସଂଗ୍ରହ କରୁଥିଲା। ହେଲେ ତା ସମ୍ପର୍କରେ କୌଣସି ସୂଚନା ମିଳିପାରୁନଥିଲା। ତେବେ ୨ ଦିନ ପୂର୍ବେ ରାଣା ଗୋରାଇର ଏକ ବିଳାଶପୂର୍ଣ୍ଣ ଭବନରେ ରହୁଥିବା ସୂଚନା ପାଇ ପୋଲିସ ଘରକୁ ଚାରିପଟୁ ଘେରିଯାଇଥିଲା। ପୋଲିସ ମାମଲାରେ ସଲମାନଙ୍କୁ ମଧ୍ୟ ପଚରା ଉଚରା କରିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.