ମୁମ୍ବାଇ କୁର୍ଲାରେ ଭୂଷୁଡିଲା ୪ ମହଲା କୋଠା, ୧୭ ମୃତ, ରିଲିଫ ଓ ଉଦ୍ଧାର ଜାରି
28/06/2022 at 7:41 PM

ମୁମ୍ବାଇ ୨୮।୬: କୁର୍ଲାଅଞ୍ଚଳରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ୪ ମହଲା କୋଠା ଭୂଷୁଡି ପଡିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ଭଙ୍ଗା ବିଲ୍ଡିଂ ତଳୁ ୧୭ ଜଣଙ୍କ ଶବ ଉଦ୍ଧାର ହୋଇଛି। ଦୁର୍ଘଟଣାରେ ଭଙ୍ଗା କୋଠା ତଳୁ ଏପର୍ଯ୍ୟନ୍ତ ୨୩ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଏହି ଦୁର୍ଘଟଣା କୁର୍ଲା ନାଇକ ନଗର ସୋସାଇଟିରେ ଘଟିଛି। ସୋସାଇଟିର ଏକ ୱିଙ୍ଗ ରାତିରେ ଭୂଷୁଡି ପଡିଥିଲା।

ବିଲ୍ଡିଂ ନିକଟରେ ଥିବା ଅନ୍ୟ ଏକ ୱିଙ୍ଗ ମଧ୍ୟ ଭୂଷୁଡିବା ଅବସ୍ଥାରେ ରହିଛି। ଏଣୁ ଏଥିରେ ବସବାସ କରୁଥିବା ଲୋକେ ବିଲ୍ଡିଂରୁ ବାହାରକୁ ଚାଲିଆସିଛନ୍ତି। ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) କମିଶନର ଇକବାଲ ସିଂ ଚହଲ ଦୁର୍ଘଟଣାରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା କହିଛନ୍ତି। ତେବେ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା କମିଶନର କହିଛନ୍ତି। ଭଙ୍ଗା କୋଠା ତଳେ ଆହୁରି ଲୋକେ ଥିବାର ଆଶଙ୍କା କରାଯାଉଛି। ଏଣୁ ଦମକଳ ଓ ଏନଡିଆରଏଫଙ୍କୁ ସତର୍କତାର ସହ ଲୋକଙ୍କ ଉଦ୍ଧାର ଲାଗି ନିବେଦନ କରାଯାଇଛି।

ଦୀର୍ଘ ବର୍ଷରୁ ଏହି ବିଲ୍ଡିଂର ମରାମତି ହେଉ ନଥିଲା ବୋଲି ଅତିରିକ୍ତ ବିଏମସି କମିଶନର ଅଶ୍ୱିନୀ ଭିଡେ ଗଣମାଧ୍ୟମକୁ କହିଛନ୍ତି। ଏଣୁ ୨୦୧୩ ମସିହାରେ ବିଲ୍ଡିଂର ମରାମତି ଲାଗି କୁହାଯାଇଥିଲା। ତେବେ ମରାମତି କରା ନଯିବା ଯୋଗୁ ଏହାକୁ ଖାଲି କରିବାକୁ ଓ ଭାଙ୍ଗି ଦେବାକୁ ନୋଟିସ ଜାରି ହୋଇଥିଲା। ଏହା ସତ୍ତ୍ୱେ ବିଲ୍ଡିଂରେ ଲୋକେ ରହୁଥିଲେ ବୋଲି ସେ କହିଛନ୍ତି। ଏନଡିଆରଏଫ ଦୁଇଟି ଟିମରେ ବିଭକ୍ତ ହୋଇ ଭଙ୍ଗା ବିଲ୍ଡିଂରେ ଲୋକଙ୍କ ତଲାସ ଜାରି ରଖିଛନ୍ତି।